ରାଜ୍ୟରେ ମାଡି ଆସିଲାଣି ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ମାଡି ଆସିଲାଣି ତାତି । ମାଘ ମାସ ଚାଲିଛି। ତା’ପରେ ଆସିବ ଫାଲ୍‌ଗୁନ ଓ ଚୈତ୍ର। ଅର୍ଥାତ୍‌ ବୈଶାଖ ଓ ଜ୍ୟେଷ୍ଠ ମାସ ଆସିବାକୁ ଆହୁରି ଢେର ସମୟ ବାକି ରହିଛି। ଅଧା ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଡେଇଁଥିଲା । ୩୭ ଡିଗ୍ରୀରେ ସିଝିଥିଲା ପୁରା ଭୁବନେଶ୍ୱର ।

ପାଣିପାଗ ପୂର୍ବାନୁମାନ ଯାହା, ୨୩ରୁ ପାଗ ବଦଳିପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏହା ସାମୟିକ ଆଶ୍ୱସ୍ତି ଦେବ । ମାତ୍ର ୨୭ ତାରିଖ ବେଳକୁ ପୁଣି ତାତି ବଢ଼ିବ । ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ରାତି ଓ ଦିନ ତାପମାତ୍ରା ଭିତରେ ବ୍ୟବଧାନ ବଢ଼ିଯାଇଛି । ସେପଟେ ଅଘୋଷିତ ପାଣିପାଗକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇଛି, ଏଭଳି ପାଣିପାଗ ମସ୍ତିଷ୍କ (ବ୍ରେନ୍‌) ମ୍ୟାଲେରିଆ ସ୍ଥିତିକୁ ଡାକି ଆଣିପାରେ । ଅଚାନକ ଭାବେ ମାଡ଼ିଯିବ ମଶାଙ୍କ ବଂଶ । ମ୍ୟାଲେରିଆ, ବ୍ରେନ୍‌ ମ୍ୟାଲେରିଆ ଆଶଙ୍କା ଅଧିକ । କେତେକ ସ୍ଥାନରେ ଡେଙ୍ଗୁ ବି ମାଡ଼ିପାରେ । ଆଇଏମ୍‌ଡିର ସ୍ୱାସ୍ଥ୍ୟ ବୁଲେଟିନରେ ଓଡ଼ିଶାକୁ ନେଇ ଏମିତି ସତର୍କ କରାଯାଇଛି ।

ଶୀତକୁ କବର ଦେଇ ଗରମ ଯେମିତି ଧସେଇ ପଶି ଆସିଲା । ସୋମବାର ଦିନ ସାଢ଼େ ୨ଟାରେ ରାଜଧାନୀର ତାତି ୩୨.୮ ଡିଗ୍ରୀ ସେଲସିୟସ୍‌ ଥିଲା । ମଙ୍ଗଳବାର ଠିକ୍‌ ସେହି ସମୟରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଛୁଇଁ ଯାଇଥିଲା । ୩ଟା ବେଳକୁ ୩୭ ଡିଗ୍ରୀ । ଏହା ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ । ଭୁବନେଶ୍ୱରରେ ସୋମବାର ଦିନ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଥିଲା । ଦିନକରେ ପ୍ରାୟ ଅଢ଼େଇ ଡିଗ୍ରୀ ବଢ଼ିଯାଇଛି । ଖାଲି ଭୁବନେଶ୍ୱର ନୁହେଁ, ଅଧା ଓଡ଼ିଶା ଟାଣ ଖରାରେ ଅସ୍ତବ୍ୟସ୍ତ । ମଙ୍ଗଳବାର ୧୫ ସହରରେ ପାରଦ ୩୫ ଡିଗ୍ରୀ ଓ ତା’ଠାରୁ ଉପରକୁ ଉଠିଯାଇଛି । ଅନେକ ସ୍ଥାନରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ଥିଲା । ଭୁବନେଶ୍ୱର ପଛକୁ ସବୁଠୁ ତତଲା ସହର ଥିଲା ବୌଦ୍ଧ । ଏଠାରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ।

Leave A Reply

Your email address will not be published.