ଅନ୍ଧବିଶ୍ୱାସ! ଡାକ୍ତରଙ୍କ ମୃତ ଘୋଷଣା ପରେ ବି ଶିଶୁର କଲେ ଲୁଣ ଉପଚାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏବେ ବି ଅନେକଙ୍କ ମୁଣ୍ଡରେ ବସା ବାନ୍ଧି ରହିଛି ଅନ୍ଧବିଶ୍ୱାସର ବସା । ପାଣିରେ ବୁଡ଼ି ପ୍ରାଣ ହରାଇଥିବା ପିଲାକୁ ଲୁଣରେ ବୁଡ଼ାଇ ରଖିଲେ ଫେରିଆସେ ଜୀବନ ? ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ? ଅଜବ, ଅଦ୍ଭୁତ, ଅବିଶ୍ୱସନୀୟ ଘଟଣା । ହୁଏତ ଏହି କାହାଣୀ ଆପଣଙ୍କୁ ବିବ୍ରତ କରିପାରେ ।  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ । ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ । ମୃତ ପିଲାଟି ହେଉଛି ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ପୁଅ ରୋହନ କୁମାର ଜେନା। କୁହାଯାଉଛି, ଖେଳୁ ଖେଳୁ କୁଆଡ଼େ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲା । ଆଉ ତାକୁ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ତେବେ ଗାଁର ଜଣେ ବ୍ୟକ୍ତିଙ୍କ ପରାମର୍ଶକ୍ରମେ, ଲୁଣରେ ପୋତିଦେଲେ ଜୀବନ ଫେରିଆସିବା ଆଶାରେ ମେଡ଼ିକାଲ ସାମ୍ନାରେ ଏଭଳି ଉଦ୍ୟମ ଜାରି ରଖିଥିଲେ ସମ୍ପର୍କୀୟ ।  କିନ୍ତୁ କାମ ଦେଲାଣି ଲୁଣ ଥେରାପି। ଆଉ ଫେରିଆସିଲାନି ପିଲାଟିର ଜୀବନ ।  ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ସଦସ୍ୟ ଶ୍ୟାମସୁନ୍ଦର ନାୟକ ଦେଇଥିଲେ ଏଭଳି ପରାମର୍ଶ । ତାଙ୍କ କହିବା କଥା, ପାଣିରୁ ଉଦ୍ଧାର ପିଲାଙ୍କୁ ଏଭଳି ଲୁଣରେ ପୋତିଦେଲେ ବଞ୍ଚିଯାଆନ୍ତି । ପ୍ରଶିକ୍ଷଣବେଳେ କୁଆଡ଼େ ଏକଥା ତାଙ୍କୁ କୁହାଯାଇଛି । ସେହି ଆଧାରରେ ସେ ଏଭଳି ଭାବେ ୩ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଏବଂ ସେହି ଅଭିଜ୍ଞତାରୁ ସେ ଲୁଣ ଉପଚାର ପାଇଁ ରୋହନଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି ।  ତେବେ ଏହା ବିଶ୍ବାସ ନା ଅନ୍ଧବିଶ୍ବାସ ? ଚିକିତ୍ସା ବିଜ୍ଞାନକୁ କାହିଁକି ବଳିଗଲା ବିଶ୍ବାସ ? ମୃତ ପିଲାକୁ ବଞ୍ଚାଇବା ପାଇଁ ଲୁଣ ଉପଚାର ଏକ ଅପଚେଷ୍ଟା କି ? ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ବାସୁଦେବପୁର ମେଡ଼ିକାଲର ଡାକ୍ତର ଦଶରଥ ଟୁଡୁ ଏହାକୁ ଅସମ୍ଭବ ବୋଲି କହଛନ୍ତି ।   ଲୁଣ ଉପଚାରର ତତ୍ତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖ ରହିଛି । କିନ୍ତୁ ମରଣପଞ୍ଝାରୁ ମଣିଷକୁ ଛଡ଼ାଇ ଆଣିବା ପାଇଁ ବାସୁଦେବପୁର ଅଞ୍ଚଳରେ ଏଭଳି ଅନ୍ଧବିଶ୍ବାସର ଉଦ୍ୟମ ଅନେକ ନାପସନ୍ଦ କରିଛନ୍ତି ।

Leave A Reply

Your email address will not be published.