ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ;ଏପରି ପିଟିସନ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ସାନ୍ତ୍ୱନା ଦେଇଥାଏ କହିଲେ କୋର୍ଟ
ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିରୀକ୍ଷଣ କରି କହିଛନ୍ତି ଯେ, ଏପରି ପିଟିସନ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ସାନ୍ତ୍ୱନା ଦେଇଥାଏ। ଅଦାଲତର ଏହି ପଦକ୍ଷେପ ସହିତ ଏହା ସ୍ପଷ୍ଟ ହୋଇଗଲା ଯେ ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସେହି ସମାନ ସମୟରେ ଅଫଲାଇନରେ ହିଁ ହେବ। ତେବେ ଏହି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଏବଂ ଅପଡେଟ ସଂପୃକ୍ତ ରାଜ୍ୟ ତଥା ଶିକ୍ଷା ବୋର୍ଡ ଦ୍ବାରା ନିଆଯିବ।
ସମଗ୍ର ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ଶିକ୍ଷା ବୋର୍ଡ ଯଥା CBSE, ICSE ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ଏବଂ ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଅଫଲାଇନ୍ ପରୀକ୍ଷା ବାତିଲ କରିବାକୁ ଆବେଦନ କରାଯାଇଥିଲା।
ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରିଥିଲେ। ଏହି ବେଞ୍ଚରେ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାର ସାମିଲ ଥିଲେ।
ତେବେ କୋର୍ଟରେ ସିବିଏସ୍ଇ ଟର୍ମ -୧ ଫଳାଫଳ ସମ୍ବନ୍ଧରେ ସ୍ପଷ୍ଟ ନହେବା ତାରିଖକୁ ଆବେଦନକାରୀ ଦର୍ଶାଇଛନ୍ତି , ତା’ପରେ କୋର୍ଟ ଏଥିରେ ବାଧା ସୃଷ୍ଟି କରି କହିଛନ୍ତି ଯେ ସିବିଏସ୍ଇ ପ୍ରକ୍ରିୟା ଚାଲିଛି। ପ୍ରଥମେ ମୂଲ୍ୟାଙ୍କନ ସମାପ୍ତ ହେବାକୁ ଦିଆଯାଉ ବୋଲି କୋର୍ଟ କହିଛନ୍ତି।
ବେଞ୍ଚ ଆବେଦନକାରୀଙ୍କୁ କହିଛନ୍ତି ଯେ ଆପଣ ଶୁଣାଣି ପୂର୍ବରୁ ପ୍ରତ୍ୟକ୍ଷ ବିଚାର ଦେବା ଭଳି କଥା କୁହାଯାଉଛି। ଶୁଣାଣି ସମୟରେ ଜଷ୍ଟିସ ଏମ ଖାନୱିଲକରଙ୍କ ଏକ ବେଞ୍ଚ ଏହି ଆବେଦନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି। ଏଥିସହ ଆବେଦନକାରୀଙ୍କ ଉପରେ ଜୋରିମାନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୌଣସି ଜୋରିମାନା ଆଦାୟ କରାଯାଇ ନାହିଁ।
ଏହି ଆବେଦନରେ ଦେଶର ୧୫ ରୁ ଅଧିକ ରାଜ୍ୟରୁ ଛାତ୍ରମାନେ ପ୍ରତିନିଧିତ୍ୱ କରିଥିଲେ। ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରିବା ଏବଂ ଅନ୍ୟାନ୍ୟ ମୂଲ୍ୟାଙ୍କନ ପଦ୍ଧତି ପ୍ରସ୍ତୁତ କରିବାକୁ ସିବିଏସ୍ଇ, ଅନ୍ୟାନ୍ୟ କେନ୍ଦ୍ରୀୟ ଏବଂ ରାଜ୍ୟ ଶିକ୍ଷା ବୋର୍ଡକୁ ଦାବି କରିଥିଲେ। ଏହା ଉପରେ କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ଏଭଳି ସଙ୍କଟ ଭଳି ପରିସ୍ଥିତି ନାହିଁ ଯେ ପରୀକ୍ଷା ବାତିଲ କରାଯିବା ଉଚିତ୍। ଏହିପରି ନିବେଦନ ଛାତ୍ରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ।