ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି।  ନିଜ ସଂପତ୍ତିର ସଠିକ ହିସାବ ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି। କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ଭିଜିଲାନ୍ସ ୪ ଲକ୍ଷରୁ ଅଧିକ ଟଙ୍କା ଓ ଡିଡିଏମ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଖଣି ଉପନିର୍ଦ୍ଦେଶକଙ୍କ ସମ୍ପତ୍ତି ତାଲିକା ଦେଖି ତାଜୁବ ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। ତାଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଥିବା ବେଳେ ୧୧ଟି ପ୍ଲଟ ରହିଛି। ଏଥିସହ ବାବୁଙ୍କର ୨ଟି ମାର୍କେଟ କମ୍ପ୍ଲେକ୍ସ, ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ କୋଠା ଥିବା ବେଳେ ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି।

ଏହାବାଦ ତାଙ୍କ ଘରୁ ୯ ଲକ୍ଷ ୮୫ ହଜାର ଟଙ୍କା ଜବତ ହୋଇଛି। ସୂଚନା ମୁତାବକ, ଗତକାଲି ଭୋରରୁ ଧରଣୀଧରଙ୍କ ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପଟିଆରେ ଥିବା ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଅନୁଗୁଳ ଓ କଟକ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା।

କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। କେନ୍ଦୁଝର, ଅନୁଗୁଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। ଖାଲି ସେତିକି ନୁହେଁ ବାବୁଙ୍କର୍ ବ୍ୟାଙ୍କ୍ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ବାବୁ ଏତେ କଳା ଟଙ୍କା ରୋଜଗାର କରିଛନ୍ତି ଯେ ୨୦ ବର୍ଷରେ  ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇଛନ୍ତି, ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ ମଧ୍ୟ ତାଜୁବ ହୋଇଯାଇଛି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ  ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।

Leave A Reply

Your email address will not be published.