ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ରେ ଚୀନ ଇଞ୍ଜିନିୟରଙ୍କ କନ୍ଭୟ ଉପରେ ଆତଙ୍କବାଦୀ ଆକ୍ରମଣ। ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କୁହାଯାଉଛି ଯେ ଏଥିରେ ୪ ଚୀନ ନାଗରିକ ଏବଂ ୯ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ସେପଟେ ଏହି ଆକ୍ରମଣ ପାଇଁ ବଲୁଚ ଲିବ୍ରେସନ୍ ଆର୍ମି (BLA) ନିଜକୁ ଦାୟୀ କରିଛି। ଏହି ଘଟଣା ଗ୍ଵାଦରରେ ଘଟିଛି। ୭ ଗାଡ଼ିର କନ୍ଭୟ ଚୀନ ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିଲା। ଏହି ସମୟରେ କନ୍ଭୟକୁ ଘେରାଉ କରି ଗୁଳି ବର୍ଷଣ ଆରମ୍ଭ ହୋଇଥିଲା। କ୍ରମାଗତ ଭାବେ ବୋମା ବିସ୍ଫୋରଣ ମଧ୍ୟ ହୋଇଥିଲା। ଏହି ଆକ୍ରମଣ ପରେ ଗ୍ଵାଦରକୁ ସମ୍ପୂର୍ଣ୍ଣ ରୂପେ ଆଲର୍ଟ କରି ଦିଆଯାଇଛି ଏବଂ ସହରରେ ଲୋକଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣାରେ ସୁରକ୍ଷା ବାହିନୀ ଏବଂ ଆତଙ୍କୀଙ୍କ ମଧ୍ୟରେ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି। ପାକିସ୍ତାନୀ ସେନା ପୂରା ଅଞ୍ଚଳକୁ ସିଲ୍ କରିଦେଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି। ପାକିସ୍ତାନରେ ଥିବା ଚୀନ ଦୂତାବାସ ବଲୁଚିସ୍ତାନ ଏବଂ ସିନ୍ଧରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କତା ଜାରି କରିଛି। ଚୀନ ଦୂତାବାସ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚୀନ ନାଗରିକମାନଙ୍କୁ ନିଜ ଘରେ ହିଁ ରହିବାକୁ ଆଦେଶ ଦେଇଛି। ତେବେ ବଲୁଚ ଲିବ୍ରେସନ୍ ଆର୍ମିର ସୁଇସାଇଡ୍ ବ୍ରିଗେଡ୍ ଚୀନ ଇଞ୍ଜିନିୟରଙ୍କ କନ୍ଭୟ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।