ଥମୁନି ମଣିପୁର ହିଂସା, ଦୁର୍ବୃତ୍ତଙ୍କ ଗୁଳିରେ ୩ ମୃତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମଣିପୁର ହିଂସା ଥମିବାର ନାଁ ଧରୁନି । ପୁଣି ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପାହାନ୍ତାରେ ମଣିପୁରର ଉଖ୍‌ରୁଲ୍‌ ଜିଲ୍ଲାରେ ସଶସ୍ତ୍ର ଦୁର୍ବୃତ୍ତମାନେ କୁକି ସମ୍ପ୍ରଦାୟର ୩ଜଣ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି।

ପୁଲିସ କହିବା ଅନୁସାରେ, ଜିଲ୍ଲା ମୁଖ୍ୟାଳୟ ଉଖ୍‌ରୁଲ୍‌ ସହରଠାରୁ ପ୍ରାୟ ୪୭ କିଲୋମିଟର୍‌ ଦୂରରେ ଅବସ୍ଥିତ କୁକି ଜନଜାତି ବସବାସ କରୁଥିବା ଥୌୱାକି କୁକି ଗ୍ରାମରେ ରାତି ପ୍ରାୟ ୪.୩୦ରେ ଗୁଳିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଗ୍ରାମର ପୂର୍ବ ପ୍ରାନ୍ତରେ ଥିବା ପାହାଡ଼ରୁ ଦଳେ ସଶସ୍ତ୍ର ଦୁର୍ବୃତ୍ତ ଗାଁ’ରେ ପଶି ଗାଁ’ରେ ପହରା ଦେଉଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ। ଏହି ଗୁଳିକାଣ୍ଡରେ ଉକ୍ତ ଗାଁର ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଘଟଣା ପରେ ପରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ସହିତ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ରାଜ୍ୟ ପୁଲିସ ଓ ଭାରତୀୟ ସେନା ମିଳିତ ଅଭିଯାନ ଆରମ୍ଭ କରିଥିବା କଥା ସେ କହିଛନ୍ତି। ସୂଚନାଯୋଗ୍ୟ, ମେ ୩ ତାରିଖରୁ ମଣିପୁର ରାଜ୍ୟରେ କୁକି ଓ ମଇତେଇ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ଓ ୩୦୦୦ରୁ ଅଧିକ ଲୋକ ଆହତ ମଧ୍ୟ ହେଲେଣି।

Leave A Reply

Your email address will not be published.