ବ୍ୟାକ ଟୁ ବ୍ୟାକ୍ ଲଘୁଚାପ, ରାଜ୍ୟରେ କାଚୁଛି ବର୍ଷା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା-ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା କାଚୁଛି । ଟ୍ୱିନ ସିଟିରେ ଗତାକାଲି ରାତିରୁ ଭୀଷଣ ବର୍ଷା ଜାରି ରହିଛି । ଆଜି ସକାଳ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଉ ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ସମ୍ଭାବନା ଅଛି ।

ସେହିପରି ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟାରେ ଜଟଣୀରେ ସର୍ବାଧିକ ୮୮ ମିମି ବର୍ଷା ରେକର୍ଡ କରାଯାଇଛି । ଜଟଣୀ ସହ ହୀରାକୁଦରେ ୮୭.୮ ମିମି, ନବରଙ୍ଗପୁରରେ ୮୧ ମିମି, କେନ୍ଦୁଝରରେ ୭୦.୬ ମିମି, ପୁରୀରେ ୬୯.୬ ମିମି, ଭୁବନେଶ୍ୱରରେ ୬୩.୮ ମିମି, ଟିଟିଲାଗଡରେ ୬୦.୮ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତକାଲି ସକାଳ ୮ଟା ୩୦ ରୁ ଆଜି ସକାଳ ୫ଟା ୩୦ ସୁଦ୍ଧା ହୋଇଥିବା ରେକର୍ଡ ମୁତାବକ ପୁରୀରେ ସର୍ବାଧିକ ୬୬.୨ ମିମି, ଭୁବନେଶ୍ୱରରେ ୫୭.୬ ମିମି, ବାଲେଶ୍ୱରରେ ୪୨.୬ ମିମି, ଗୋପାଳପୁରରେ ୩୫.୮ ମିମି, ଚାନ୍ଦବାଲିରେ ୧୬.୭ ମିମି, ପାରାଦ୍ୱୀପରେ ୧୪.୭ ମିମି, ଝାରସୁଗୁଡାରେ ୧୩.୪ ମିମି ବର୍ଷା ରେକର୍ଡ ହୋଇଥିଲା ।

ଲଘୁଚାପ ପ୍ରଭାବରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତଳିଆ ଅଂଚଳରେ ପାଣି ଜମିବା ସମସ୍ୟା ଉପୁଯିବା ସହ କଚ୍ଚା ଘର, ମାଟି ରାସ୍ତା କ୍ଷତିଗ୍ରସ୍ତ ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏହାସହିତ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.