ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ-ସାନ ଫ୍ରାନ୍ସିସକୋ ଏୟାର ଇଣ୍ଡିଆ ବିମାନରେ ଚରମ ଅବ୍ୟବସ୍ଥା । ୮ ଘଣ୍ଟା ବିଳମ୍ବ ହେଲା ବିମାନ ଉଡାଣ । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିନା ଏସିରେ ବିମାନରେ ବସି ରହିବା କାରଣରୁ ଅଚେତ୍ ହୋଇଗଲେ ଯାତ୍ରୀ । ଗତକାଲି (ଗୁରୁବାର) ରାଜଧାନୀ ଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସକୋ ଯିବାକୁ ଥିବା ଏୟାର ଇଣ୍ଡିଆର AI 183 ବିମାନରେ ଏହି ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିବାର ଥିଲା। ମାତ୍ର କୌଣସି କାରଣବଶତଃ ବିମାନଟି ୨୪ଘଣ୍ଟା ବିଳମ୍ୱ ହୋଇଥିଲା। ମାତ୍ର ବିମାନରେ ଏୟାର କଣ୍ଡିସନର କାମ କରୁନଥିଲା। ଲୋକେ ଏତେ ଗରମରେ କିପରି ରହିବେ ସେନେଇ ଚିନ୍ତାରେ ପଡିଯାଇଥିଲେ। ଅନେକ ଯାତ୍ରୀ ଇନଷ୍ଟାଗ୍ରାମରେ ସେମାନଙ୍କ ଅସୁବିଧା ସହ ଫଟୋ ସେୟାର କରି ଏହି ବିଷୟରେ ଅବଗତ କରାଇଥିଲେ। ଏହାପରେ ଏୟାର ଇଣ୍ଡିଆ ସମସ୍ତ ଯାତ୍ରୀଙ୍କୁ ଟଙ୍କା ସମ୍ପୂର୍ଣ୍ଣ ଫେରସ୍ତ କରିବା ସହ ହୋଟେଲ ରହଣି ପ୍ରଦାନ କରିଥିବା ସୂଚନା ମିଳିଛି।
ସାମ୍ବାଦିକ ଶ୍ୱେତା ପୁଞ୍ଜ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଏୟାର ଇଣ୍ଡିଆର ବିମାନ ଅନେକ ଘଣ୍ଟା ବିଳମ୍ବ ହୋଇଛି ଏବଂ ଯାତ୍ରୀମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଏସିର ସୁବିଧା ନାହିଁ। ଲୋକଙ୍କୁ ବିନା ଏସିରେ ରହିବାକୁ ବାଧ୍ୟ କରାଯାଉଛି। କିଛି ଲୋକେ ବେହୋସ ହୋଇଯିବା ପରେ ସେମାନଙ୍କୁ ବିମାନରୁ ବାହାରି ଯିବାକୁ କୁହାଯାଉଛି। ସେ ତାଙ୍କ ପୋଷ୍ଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରି ଏହି ଘଟଣାକୁ ଅମାନବୀୟ ବୋଲି ବର୍ଣ୍ଣନା କରିଛନ୍ତି।