ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କନ୍ୟାକୁମାରୀରେ ଧ୍ୟାନମୁଦ୍ରାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡ଼ୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକରେ ଧ୍ୟାନ ମଣ୍ଡପମ୍ରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଠି ଏକଦା ସ୍ବାମୀ ବିବେକାନନ୍ଦ ଧ୍ୟାନ କରିଥିଲେ, ସେଠାରେ ବସି ଧ୍ୟାନ କରୁଛନ୍ତି ମୋଦି । ଶନିବାର ଦିନ ୩ଟାରେ ତାଙ୍କର ଏହି ଧ୍ୟାନ ଶେଷ ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ କେବଳ ତରଣ ଖାଦ୍ୟ ଗ୍ରହଣ କରିବେ ।
ଧ୍ୟାନସ୍ଥ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୨୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ଅଧିକାରୀମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସେହିପରି ସୁରକ୍ଷାଦୃଷ୍ଟିରୁ ଗତକାଲି(ଗୁରୁବାର) ଠାରୁ ଜୁନ ୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସେହି ସ୍ଥାନ ବାରଣ କରାଯାଇଛି । କହିରଖୁଛୁ, ପ୍ରଧାନମନ୍ତ୍ରୀ ଧ୍ୟାନସ୍ଥ ଥିବା ସ୍ଥାନରେ ଦିନେ ସ୍ବାମୀ ବିବେକାନନ୍ଦ ୩ ଦିନ ଧରି ଧ୍ୟାନ କରିଥିଲେ । ଏମିତିକି ଦେବୀ ପାର୍ବତୀ ମଧ୍ୟ ଏହି ସ୍ଥାନରେ ଗୋଟିଏ ଗୋଡରେ ତପସ୍ୟାରତ ରହି ପ୍ରଭୁ ଶିବଙ୍କୁ ଅପେକ୍ଷା କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଉପକୂଳରୁ ୫ଶହ ମିଟର ସମୁଦ୍ର ଭିତରେ ରହିଛି ଏହି ବିବେକାନନ୍ଦ ରକ୍।
୨୦୧୯ ନିର୍ବାଚନ ଶେଷ ପର୍ଯ୍ୟାୟରେ ପିଏମ ମୋଦି କେଦାରନାଥ ଯାତ୍ରା କରିବା ସହ ଉତ୍ତରାଖଣ୍ଡର ରୁଦ୍ର ମେଡିଟେସନ କେଭରେ ୧୭ ଘଣ୍ଟା ଧ୍ୟାନ କରିଥିଲେ।ବିବେକାନନ୍ଦ ରକ୍ ମେମୋରିଆଲ୍ରେ ସ୍ବାମୀ ବିବେକାନନ୍ଦ ୧୮୯୨ ମସିହାରେ ଧ୍ୟାନ କରିଥିଲେ । ହିନ୍ଦୁ ଦାର୍ଶନିକ-ସାଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରକ୍ ମେମୋରିଆଲ୍ ସ୍ମାରକୀ ନିର୍ମାଣ କରାଯାଇଥିଲା। କୁହାଯାଏ ଯେ ସ୍ୱାମୀ ବିବେକାନନ୍ଦ ସାରା ଦେଶରେ ବୁଲାବୁଲି କରିବା ପରେ ଏଠାରେ ତିନି ଦିନ ଧ୍ୟାନ କରିଥିଲେ ଏବଂ ଏକ ବିକଶିତ ଭାରତ ପାଇଁ ଦର୍ଶନ ପ୍ରାପ୍ତ କରିଥିଲେ ।