ନୂଆ ଡିଜାଇନରେ ବଜାରକୁ ଫେରୁଛି ଆମ୍ବାସଡର କାର୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁରୁଣା କାର୍, ନୂଆ ଡିଜାଇନ୍ । ଭାରତୀୟ ବଜାରକୁ ପୁଣିଥରେ କମବ୍ୟାକ କରିପାରେ ଆମ୍ବାସଡର କାର । ନୂଆ ଡିଜାଇନ, ନୂଆ ଜ୍ଞାନକୌଶଳ ସହ ଭାରତୀୟ ବଜାରରେ ପୁଣିଥରେ ରାଜ କରିବ ଆମ୍ବାସଡର । ଦୀର୍ଘ ୭ ଦଶନ୍ଧି ଧରି ବଡ ବଡ ନେତା ଓ ଅଫିସରଙ୍କ ପସନ୍ଦର ଗାଡି ପାଲଟିଥିବା ଆମ୍ବାସଡର କାରକୁ ପୁଣିଥରେ ରାସ୍ତାକୁ ଓହ୍ଲାଇବାକୁ ଚାଲିଛି ପ୍ରସ୍ତୁତି । ହିନ୍ଦ ମୋଟର ଫାଇନାନସିଆଲ କର୍ପୋରେସନ ଅଫ୍ ଇଣ୍ଡିଆ ଓ ଫ୍ରାନ୍ସର କାର ନିର୍ମାତା କମ୍ପାନି ପ୍ୟୁଜିଅଟ ଏବେ ଏହାର ଡିଜାଇନ ଓ ଇଞ୍ଜିନ ଉପରେ କାମ ଆରମ୍ଭ କରିଛନ୍ତି । ଆଉ ସବୁଠୁ ବଡ କଥା ହେଲା, ଆମ୍ବାସଡରର ନୂଆ ମଡେଲ ଚେନ୍ନାଇ ସ୍ଥିତ ହିନ୍ଦୁସ୍ତାନ ମୋର୍ଟସ ପ୍ଲାଣ୍ଟରେ ନିର୍ମାଣ କରାଯିବ । ବଜାରକୁ ଆସିଥିବା ନୂଆ ମଡେଲ ଆମ୍ବି ନାମରେ ପରିଚିତ ହେବ ଏବଂ ଆସନ୍ତା ୨ ବର୍ଷ ମଧ୍ୟରେ ହିଁ ଭାରତର ସଡକକୁ ଏହା ଓହ୍ଲାଇବ ।

ଗତ ଗୋଟିଏ ଦଶନ୍ଧିକୁ ଛାଡିଦେଲେ ଭାରତୀୟ ବଜାରରେ ଆମ୍ବାସଡରର କ୍ରେଜ ଆକାଶଛୁଆଁ ଥିଲା । ଗାଡି ଚାଳକଙ୍କ ପ୍ରଥମ ପସନ୍ଦର ଗାଡି ସାଜିଥିଲା ଆମ୍ବାସଡର । ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ସରକାରୀ ବାବୁଙ୍କ ଠାରୁ ବଡ ବଡ ଧନୀକ ଶ୍ରେଣୀ ଲୋକଙ୍କ ଯାତାୟତ ପାଇଁ ସବୁଠୁ ଅଧିକ ବ୍ୟବହାର ହେଉଥିଲା ଆମ୍ବାସଡର ଗାଡିର । କିନ୍ତୁ ଲଗାତାର ଗତ କିଛିବର୍ଷ ହେବ ଆମ୍ବାସଡର ଗାଡିର କ୍ରେଜ ଧୀରେ ଧୀରେ କମିବା ଆରମ୍ଭ ହୋଇଥିଲା । କେବଳ ସରକାରୀ ଅଫିସରେ ଆମ୍ବାସଡର ଗାଡି ଦେଖିବାକୁ ମିଳୁଥିଲା । ଆଉ ଏହି ସମୟରେ ଭାରତୀୟ ବଜାରକୁ ଏଣ୍ଟ୍ରି ମାରିଥିଲା ଅନେକ ବିଦେଶୀ କମ୍ପାନୀର ଷ୍ଟାଇଲିସ ଗାଡି । ଗାଡିର ଲୁକ୍ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ଅନ୍ୟ କମ୍ପାନୀର ଗାଡି ଭାରତରେ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲା । ଯେଉଁଥିପାଇଁ ଆମ୍ବାସଡରର କେବଳ ଉତ୍ପାଦନ କମିନଥିଲା ବରଂ କମ୍ପାନି ବିପୁଳ କ୍ଷତି ମଧ୍ୟ ସହିଥିଲା । ଫଳରେ ୨୦୧୪ରେ ହିନ୍ଦୁସ୍ତାନ ମୋର୍ଟସ ଆମ୍ବାସଡର କାରର ଉତ୍ପାଦନ ବନ୍ଦ କରିଥିଲେ ।

୨୦୧୪ରେ ଆମ୍ବାସଡର ମଡେଲର ଶେଷ କାରର ଉତ୍ପାଦନ ହୋଇଥିଲା । ଆଉ ୨୦୧୭ ମସିହାରେ କମ୍ପାନିର ମାଲିକ ଏହାର ବ୍ରାଣ୍ଡକୁ ୮୦ କୋଟି ଟଙ୍କାରେ ଫ୍ରେଞ୍ଚ କମ୍ପାନି ପ୍ୟୁଜିଅଟକୁ ବିକ୍ରି କରିଥିଲେ । ଆଉ ଏବେ ପ୍ୟୁଜିଅଟ କମ୍ପାନି ପୁଣିଥରେ ଭାରତରେ ଏଣ୍ଟ୍ରି କରିବାକୁ ଆଗଭର ହୋଇଛି । ସବୁଠୁ ବଡ କଥା ହେଲା, ଆମ୍ବି ମଡେଲକୁ ଇଲେକଟ୍ରିକ ଗାଡି ଭାବେ ସାମ୍ନାକୁ ଆଣିବାକୁ କମ୍ପାନି ଯୋଜନା କରୁଥିବା କୁହାଯାଉଛି । ଯେହେତୁ ଏବେ ଇଲେକଟ୍ରିକ ଗାଡିର ଚାହିଦା ବଢିବାରେ ଲାଗିଛି, ତେଣୁ କମ୍ପାନି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

 

Leave A Reply

Your email address will not be published.