କାମ ନ ସରୁଣୁ ଫାଟିକି ଆଁ କରିଛି ନାଗାବଳୀ ନଦୀର ପୋଲ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାମ ନ ସରୁଣୁ ଫାଟିକି ଆଁ କରିଛି ନାଗାବଳୀ ନଦୀର ପୋଲ ।  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ନାଗାବଳୀ ପୋଲ ଦବିଲା । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ସୁରକ୍ଷା କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଆଁ ହୋଇଛି। ଫଳରେ ପୋଲର ସ୍ଥାୟିତ୍ବ ନେଇ ଅଞ୍ଚଳବାସୀ ଉଠାଇଛନ୍ତି ପ୍ରଶ୍ନ। ପ୍ରାୟ୧୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ ହୋଇଥିଲା। ଗତ ଜୁନ୍ ପ୍ରଥମ ସପ୍ତାହରେ ନିର୍ମାଣ ଶେଷ ହୋଇନଥିଲେ ସୁଦ୍ଧା ଲୋକଙ୍କ ପାଇଁ ଯାତାୟାତର ସୁବିଧା କରାଯାଇଥିଲା। ତେବେ ଗତକାଲିଠାରୁ ଲଗାଣ ବର୍ଷାରେ ପୋଲ ଦବିଯାଇଛି। ଫଳରେ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଛି।

ପୋଲ ଦବିବା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। କାରଣ ଦୀର୍ଘ ଦୁଇ ବର୍ଷ ହେବ ଶିକରପାଇଠାରୁ କଲ୍ୟାଣସିଂହପୁର ବ୍ଲକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ଵାରା ପ୍ରାୟ ୬୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନୂତନ ରାସ୍ତା ଓ ପୋଲ କାମ ହୋଇଥିଲା। ଆହୁରି ରାସ୍ତା ନିର୍ମାଣ କି ଛୋଟ ଛୋଟ ପୋଲ କାମ ଶେଷ ହେଉ ନାହିଁ। ଏହିଭଳି ସ୍ଥିତିରେ ଗୁଣବତ୍ତା ପ୍ରତି ଧ୍ୟାନ ନ ଦେବାରୁ ଓ ନିମ୍ନମାନର କାମକୁ ନେଇ ଅଞ୍ଚଳବାସୀ ଠିକାଦାର ଏବଂ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି। ଶେଷରେ ଏହିଭଳି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.