ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଆହତଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସୂଚନା ମୁତାବକ, ଆଜି ସକାଳେ ‘ଚକାଡୋଳା’ ବସ୍‌ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍‌।

ପରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ବାଇକକୁ କିଛି ବାଟ ଘୋଷାଡ଼ି ନେଇଥିଲା। ତା’ପରେ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍‌ରେ  ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଛି ସମୟ ପାଇଁ ସେହି ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିଥିଲା।

ନିଆଁକୁ ଆୟତ୍ତ କରିବା ପରେ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା। ଏନ୍‌ଏଚ୍‌ ୧୬ରେ କିଛି ଲୋକ ଜବରଦଖଲ କରି ଦୋକାନ ଦେଇଥିବାରୁ ଅନେକ ସମୟରେ ଏପରି ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି। ବାରମ୍ବାର ଉଚ୍ଛେଦ କରାଯାଉଥିଲେ ହେଁ ସେମାନେ ପୁଣି ରାସ୍ତାକୁ କବ୍‌ଜା କରି ଦୋକାନ ଦେଉଛନ୍ତି। ଫଳରେ ରାସ୍ତା ସଂକୁଚିତ ହୋଇ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.