ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବିଶ୍ୱ ଆଥଲେଟିକ୍ ଚାମ୍ପିୟନଶିପରେ ନିରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହା ସହିତ ଓଡିଆ ପୁଅ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିଥିବା ଜାଭଲିନ ଥ୍ରୋୟର କିଶୋର ଜେନାଙ୍କୁ ମଧ୍ୟ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ପୁରସ୍କାର ସ୍ୱରୂପ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।
ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ କିଶୋର ଜେନା। ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଗତକାଲି ଅନୁଷ୍ଠିତ ହୋଇଥିଲା ଫାଇନାଲ। ପଦକ ଜିତି ପାରି ନଥିଲେ ମଧ୍ୟ ସେ ନିରାଶ କରି ନଥିଲେ। ତାଙ୍କ ପ୍ରଦର୍ଶନ ବେଶ୍ ଭଲ ଥିଲା। ସେ ୮୪.୭୭ ମିଟର ଜାଭଲିନ ପିଙ୍ଗି ପଞ୍ଚମ ସ୍ଥାନରେ ରହିଥିଲେ। ଏହା କିଶୋର ଜେନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବୁଦାପେଷ୍ଟରେ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପରେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅସାଧାରଣ ପ୍ରଦର୍ଶନ ଆମ ରାଜ୍ୟ ଓ ଦେଶ ପାଇଁ କେବଳ ଗୌରବ ଆଣି ଦେଇ ନାହିଁ, ଆଗାମୀ ବର୍ଷଗୁଡ଼ିକରେ ଏହା ଅନେକ ଆଥ୍ଲେଟ୍ସଙ୍କୁ ପ୍ରେରଣା ଯୋଗାଇବ।
ତାଙ୍କ ପ୍ରଦର୍ଶନ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିଣିପାରିଛି। ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ୭୫.୭୦ ମିଟର ଏବଂ ଦ୍ୱିତୀୟରେ ୮୨.୮୨ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା। ଚୂଡାନ୍ତ ପର୍ୟ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ। ୱାର୍ଲ୍ଡ ଆଥଲେଟକିକ୍ସ ଚାମ୍ପିଅନସିପରେ ସେ ପ୍ରଥମ କରି ଫାଇନାଲରେ ଭାଗ ନେଇଥିଲେ। ଆଗକୁ ତାଙ୍କ ଯାତ୍ରା ଏହିପରି ଜାରି ରହିବ ବୋଲି ସମସ୍ତେ କାମନା କରିଛନ୍ତି।