୮ ଟି ଦେଶର ଯୁବ ପ୍ରତିନିଧିଙ୍କୁ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଅବଗତ କଲେ ମୁଖ୍ୟ ଶାସନ ସଚିବ, ଓଡିଶା ମଡେଲଙ୍କୁ ବିଦେଶ ପ୍ରତିନିଧିମାନଙ୍କ ପ୍ରଶଂସା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ( ଆଇସିସିଆର ) ପକ୍ଷରୁ ପ୍ରାୟୋଜିତ ଜେନ୍ ନେକ୍ସଟ-ଡେମୋକ୍ରାସି-ନେଟ ଓ୍ୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କ ପାଇଁ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରରେ ଆଜି ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ବେଲଜିୟମ, ବ୍ରାଜିଲ, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ୍ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶକୁ ୨୬ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗରେ ‘ସୋଆ’ ସଂଯୋଜନାରେ ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗଦେଇ ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ବିପର୍ଯ୍ୟୟ ସଫଳତାର ସହ ପରିଚାଳନା କରିପାରିଛି, ସେ ସଂପର୍କରେ ସୂଚନା ଦେଇଥିଲେ ।

ଓଡ଼ିଶାରେ ବପର୍ଯ୍ୟୟ ପରିଚାଳନା ସଂପର୍କିତ ଅନୁଭୂତି ବିଷୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ଯୁବ ପ୍ରତିନିଧିଙ୍କୁ ଅବଗତ କରି କହିଲେ ଯେ, ୧୯୯୯ ରେ ସଂଘଠିତ ମହାବାତ୍ୟା ଆମର ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହି ବାତ୍ୟା ସଂପର୍କରେ ଅସ୍ପଷ୍ଟ ଆକଳନ, ଆମର ଯଥେଷ୍ଟ ପ୍ରସ୍ତୁତି ନରହିବା, ବାତ୍ୟା ସମୟରେ ୨୬୯ ରୁ ୩୦୦ କି.ମି. ପ୍ରତି ଘଣ୍ଟା ପବନର ବେଗକୁ ସମ୍ମୁଖୀନ ହେବାରେ ଆମର କ୍ଷମତା ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିର ଅଭାବ ଯୋଗୁଁ ଓଡ଼ିଶାରେ ପ୍ରାୟ ୧୦ ହଜାର ଜୀବନ ହାନି ଘଟିବା ସହ ୧୮ ଲକ୍ଷ ହେକ୍ଟର ଫସଲ ନଷ୍ଟ ଓ ୨୦ ଲକ୍ଷ ଘର ଭାଙ୍ଗିଥିଲା । ପରିବହନ ବ୍ୟବସ୍ଥା, ଟେଲିଫୋନ, ବିଦ୍ୟୁତ୍ ସରବରାହ ଓ ରାସ୍ତାଘାଟର ବହୁ କ୍ଷୟକ୍ଷତି ହୋଇଥିଲା । ଏହି ମହାବାତ୍ୟା ପରଠାରୁ ଏ ପର୍ଯ୍ୟନ୍ତ ଆମେ ୧୦ଟି ବାତ୍ୟା ସମ୍ମୁଖୀନ ହୋଇ ଆମେ ଏଥିରୁ ବହୁତ କିଛି ଶିକ୍ଷା ଲାଭ କରିଛୁ । ପ୍ରତିଟି ବାତ୍ୟାର ଅନୁଭୂତି ଭିନ୍ନ ଭିନ୍ନ ରହିଥିଲା । ୨୦୧୩ ମସିହାରେ ‘ଫାଇଲିନ’ ବାତ୍ୟାରେ ୨୧ ଜଣ, ୨୦୧୪ରେ ‘ହୁଡ ହୁଡ’ରେ ୩ ଜଣ, ୨୦୧୮ ‘ତିତିଲି’ରେ ଭୂସ୍ଖଳନ ଯୋଗୁଁ ୭୨ ଜଣ ଓ ୨୦୧୯ ରେ ‘ଫନୀ’ ଗ୍ରୀଷ୍ମକାଳୀନ ଆକସ୍ମିକ ବାତ୍ୟାରେ ୬୪ ଜଣଙ୍କର ଜୀବନ ହାନି ଘଟିଥିବାବେଳେ ପରବର୍ତ୍ତୀ ସମୟରେ ଆମର ସୁଦୃଢ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଗୁଁ ଆମେ ୨୦୧୯ ‘ବୁଲୁବୁଲ’ ବାତ୍ୟାଠାରୁ ଆଜି ପର୍ଯ୍ୟନ୍ତ ଜିରୋ କାଜୁଆଲିଟି (ଶୂନ ମୃତାହତ) କୁ ନିଶ୍ଚିତ କରିଆସିଛୁ ।

Leave A Reply

Your email address will not be published.