ମୁଁହରେ କଳା କପଡ଼ା ବାନ୍ଧି ୬୬୨ ବର୍ଗର ବେସରକାରୀ ଅଧ୍ୟାପକଙ୍କ ଧାରଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଁହରେ କଳା କପଡ଼ା ବାନ୍ଧି ଧାରଣାରେ ବସିଛନ୍ତି ୬୬୨ ବର୍ଗର ବେସରକାରୀ ଅଧ୍ୟାପକ।  ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ପୁଣି ଏହି ଧାରଣା ଆରମ୍ଭ ହୋଇଛି। ହଜାର ହଜାର ସଂଖ୍ୟକ ଅଧ୍ୟାପକ ଏଥିରେ ସାମିଲ ହୋଇଛନ୍ତି। ଗତ ୫୩ ଦିନ ହେବ ଚାଲିଛି ଏହି ଆନ୍ଦୋଳନ। ସୂଚନାଯୋଗ୍ୟ, ‘ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ’ ପକ୍ଷରୁ ଦାବି କରାଯାଇଛି ଯେ ସରକାର ପାତରଅନ୍ତର ଓ ବର୍ଗୀକରଣ ନକରି ୭ମ ବେତନ କମିସନ୍‌ଙ୍କ ନିୟମ ଆଧାରରେ ସମାନ ଗ୍ରେଡ୍‌-‌‌ପେ’କୁ ସମାନ ଦରମା ଦିଅନ୍ତୁ। ସମସ୍ତଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ୍, ୨୦୧୮ ଜି.ଓ ପ୍ରତ୍ୟାଶୀମାନଙ୍କୁ ୭ମ ବେତନ ଏବଂ ଅସଂଗତି ପଦ ପାଇଁ ଆହୂତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ। ପୂର୍ବରୁ ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା ହୋଇଥିଲା । +୨ ମୂଲ୍ୟାୟନ ପୂର୍ବରୁ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଆସନ୍ତାକାଲି ଠାରୁ +୨ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ଏଯାଏ ସମାଧାନ ହୋଇନି। ଏଣୁ ଆଜି ଏହି ଧାରଣା ଦେଉଛି ସଂଘ।

ଏପଟେ ରାଜ୍ୟର ସମସ୍ତ ବେସରକାରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନ୍‌ସନ୍, ଡିଇଏଲଇଡିକୁ ସରକାରୀ ଚାକିରି ପାଇଁ ଅଧିକ ମାନ୍ୟତା, ସରକାରୀ ଏନ୍‌ସି କ୍ଲିଅର୍ ଶିକ୍ଷକଙ୍କୁ ୨୦୧୯ ମେ’ ୨୨ରୁ ରେଗୁଲାର୍ ଏବଂ କ୍ୟାଥଲିକ୍ ମିସନ୍ ବୋର୍ଡ୍ ସ୍କୁଲ ଶିକ୍ଷକଙ୍କୁ ରେଗୁଲାର୍ କରିବା ଆଦି ୪ ଦଫା ଦାବିରେ ଲୋୟର ପିଏମ୍‌ଜିରେ ଏନଆଇଓଏସ୍ ଡିଇଏଲ୍‌ଇଡି ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ପରେ ଏକ ପ୍ରତିବାଦ ସଭା କରାଯାଇ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବାଶିଷ ହୋତା କହିଥିଲେ ଯେ ଅନେକ ବେସରକାରୀ ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅତି ସ୍ୱଳ୍ପ ଦରମାରେ ଦିନକୁ ୧୦ ରୁ ୧୨ ଘଣ୍ଟା ଧରି ପିଲାମାନଙ୍କୁ ପାଠପଢ଼‌ାଇବା ଠାରୁ ଆରମ୍ଭ କରି ପରିବାର ସମ୍ପର୍କ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିଥାନ୍ତି। ସରକାରୀ କର୍ମଚାରୀମାନେ ଏମାନଙ୍କ ତୁଳନାରେ ଅଧିକ ଦରମା ପାଉଛନ୍ତି। ସେଥିପାଇଁ ସମସ୍ତ ବେସରକାରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ପେନ୍‌ସନ୍ ପଲିସି କରିବା ପାଇଁ ଶ୍ରୀ ହୋତା ଦାବି କରିଥିଲେ।  ଆନ୍ଦୋଳନରେ ଏନଆଇଓଏସ୍ ଡିଇଏଲଇଡି ଶିକ୍ଷକ ସଂଘର ରାଜ୍ୟ ସଭାନେତ୍ରୀ ଜ୍ୟୋତିମଞ୍ଜରୀ ସେଠ୍ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷା କଳ୍ପନା ଧରୁଆ ପ୍ରମୁଖ ଉପସ୍ଥିତରେ ସଂଘର ଏକ ପ୍ରତିନଧିମଣ୍ଡଳୀ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସହିତ ଆଲୋଚନା କରିଥିଲେ। ଦାବି ଗୁଡ଼ିକ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.