ଲୋକସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଗତ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସର୍ଭେ ରିପୋର୍ଟରେ ଲେଖାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ପ୍ରତିଶତ ବୃଦ୍ଧି ପାଇଛି।

ଅର୍ଥନୈତିକ ସର୍ବେକ୍ଷଣ ତଥ୍ୟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱର ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ଘରୋଇ ଅଭିବୃଦ୍ଧି ଡ୍ରାଇଭମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିଛନ୍ତି। ଭାରତର ଅର୍ଥନୀତି ଦୃଷ୍ଟିକୋଣ ଉଜ୍ଜ୍ୱଳ। ୨୦୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୪ରେ ଅର୍ଥନୀତି ବୃଦ୍ଧି ପାଇଛି ଏବଂ ୨୦୨୫ ଆର୍ଥିକ ବର୍ଷରେ GDP ୬.୫ରୁ ୭ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି। ପ୍ରକାଶ ଥାଉକି, ଆସନ୍ତାକାଲି ପୂର୍ଣ୍ଣ କେନ୍ଦ୍ର ବଜେଟ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୧ରେ ମଧ୍ୟ ବଜେଟ ଉପସ୍ଥାପନ ହୋଇଥିଲା।

କିନ୍ତୁ ଏହା ମଧ୍ୟବର୍ତ୍ତୀକାଳୀନ ବଜେଟ ଥିବାରୁ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇ ପାରିନଥିଲା। ତେଣୁ ପୂର୍ଣ୍ଣ ବଜେଟ ଆସିବାର ଗୋଟିଏ ଦିନ ପୂର୍ବରୁ ରିପୋର୍ଟ ଉପସ୍ଥାପନ ହୋଇଛି। ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫-୭ପ୍ରତିଶତ ବଢ଼ିବା ସହିତ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ସହ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.