ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ଫୋକସରେ ମହିଳା ସଶକ୍ତୀକରଣ । ମହିଳାମାନଙ୍କ ଅଧିକାର ହାସଲ ପାଇଁ ଗାଁରୁ ସଂସଦ ଯାଏ ଲଢ଼େଇ ଜାରି ରଖିବ ଦଳ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ଆସନ ସଂରକ୍ଷଣ ଦାବିକୁ ଆହୁରି ଜୋରଦାର କରାଯିବ । ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ସାମିଲ ହୋଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଗୁରୁମନ୍ତ୍ର ଦେଇଛନ୍ତି । ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ ନୁହେଁ । ଏହା ପ୍ରଗତିର ମନ୍ତ୍ର । ଓଡ଼ିଶାର ମାଆମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ପ୍ରତିଫଳିତ ହେଉଛି । ମାଆମାନେ ଗାଁ ଗାଁରେ ନେତୃତ୍ୱ ନେଲେଣି ।
ମାଆମାନଙ୍କୁ ମିଶନ ଶକ୍ତି ଅଧିକ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିପାରିଛି । ସେମାନଙ୍କୁ ଗତ ବର୍ଷ ଦିଆଯାଇଛି ୧୧ ହଜାର କୋଟି ଟଙ୍କାର ଋଣ । ୨୫୦ କୋଟିରୁ ଅଧିକ ଟଙ୍କାର ସୁଧ ଫେରସ୍ତ କରାଯାଇଛି । ମାଆମାନଙ୍କ ଯାତାୟାତ ସୁବିଧା ପାଇଁ ସ୍କୁଟର ଯୋଜନା ଆରମ୍ଭ ହେଉଛି । ଏଥିପାଇଁ ସେମାନଙ୍କୁ ଲକ୍ଷେ ଟଙ୍କା ଯାଏ ଋଣ ବିନା ସୁଧରେ ଦିଆଯିବ । ମିଶନ ଶକ୍ତି ମାଆମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେପଟେ ସଙ୍ଗଠନ ଅଧିକ ମଜଭୁତ କରିବାକୁ ୱାର୍ଡ, ପଞ୍ଚାୟତ ଓ ବ୍ଲକ କମିଟି ଗଠନ କରାଯିବ । ସେପଟେ ଦରଦାମ ହୁ ହୁ ହୋଇ ବଢୁଛି। ଫୋକସ ଷ୍ଟେଟ ମାନ୍ୟତା, ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ଦାବି ସହ ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା ପ୍ରସଙ୍ଗରେ ରାଜରାସ୍ତାରେ ଲଢ଼େଇ କରିବ ବିଜୁ ମହିଳା ଜନତା ଦଳ । ଆଜି କାର୍ଯ୍ୟକାରିଣୀରେ ଏସମ୍ପର୍କରେ ରାଜନୈତିକ ନିଷ୍ପତ୍ତି ନିଆଯାଇଛି। ଏହାସହ 5T ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ ଶକ୍ତିଙ୍କ ପାଇଁ ସ୍କୁଟର ଯୋଜନା ଭଳି ଅନେକ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।
୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ସାରା ଦେଶକୁ ବଡ଼ ବାର୍ତ୍ତା ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ । ଆଗକୁ ୨୦୨୪ ନିର୍ବାଚନ । ଏପରିସ୍ଥଳେ ପୁଣିଥରେ ବିଜେଡି ସୁପ୍ରିମୋ ମହିଳା ସଂରକ୍ଷଣ ବିଲ୍ କଥାକୁ ଶାଣିତ ଢଙ୍ଗରେ ଉଠାଇବା ପାଇଁ ଆହ୍ଵାନ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ୨୦୧୯ ଭଳି ୨୦୨୪ରେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ପ୍ରାର୍ଥୀ କରିବ କି ବିଜେଡି।.