ବଲାଙ୍ଗିର ଫେକ୍ ସାର୍ଟିଫିକେଟ ପଛରେ ଅଛି ବୋର୍ଡ କର୍ମଚାରୀଙ୍କ ହାତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଫେକ୍ ସାର୍ଟିଫିକେଟ ପଛରେ ବୋର୍ଡ କର୍ମଚାରୀଙ୍କ ହାତ ଥିବା ସୂଚନା ମିଳିଛି । ଏନେଇ ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାଂଘାତିକ ତଥ୍ୟ ମିଳିଛି । ଫେକ୍ ସାର୍ଟିଫିକେଟର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଛି ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ରହିଛି । ଦଲାଲ୍ ଓ ୟୁପି ବୋର୍ଡ କର୍ମଚାରୀଙ୍କ ସଲାସୁତୁରାରେ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିଲା ବୋଲି ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ୟୁପି ବୋର୍ଡ କର୍ମଚାରୀ ଫାଙ୍କା ସାର୍ଟିଫିକେଟ୍ ପଠାଉଥିବା ବେଳେ ଟଙ୍କା ଅନୁସାରେ ଏଠି ମାର୍କ ଚଢ଼ାଉଥିଲେ ଦଲାଲ୍ । ତେବେ ୟୁପି ବୋର୍ଡର କେଉଁ କେଉଁ କର୍ମଚାରୀ ଏଥିରେ ସମ୍ପୃକ୍ତ । ଗିରଫ ୪ ଜଣଙ୍କ ଛଡ଼ା ଓଡ଼ିଶାର ଆଉ କେଉଁ ଦଲାଲଙ୍କ ଏଥିରେ ସମ୍ପୃକ୍ତି ରହିଛି । ଏସବୁ ଦିଗରେ ଅଧିକ ତଦନ୍ତ ଓ ସମ୍ପୃକ୍ତ କର୍ମଚାରୀଙ୍କୁ ଠାବ ପାଇଁ ପୁଣି କ୍ରାଇମବ୍ରାଞ୍ଚ ଉତ୍ତରପ୍ରଦେଶ ଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ବଲାଙ୍ଗିର ଫେକ୍ ସାର୍ଟିଫିକେଟ୍ ମାମଲାରେ ସାମ୍ନାକୁ ଆସିଥିଲା ସାଂଘାତିକ ତଥ୍ୟ । ଲୋକଙ୍କୁ ସତସତିକା ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍ ଆସିବ କହି ଭୁଆଁ ବୁଲାଉଥିଲେ ମନୋଜ ମିଶ୍ର ଓ ଆଲୋକ ଉଦ୍ଗାତା । ନକଲି ସାର୍ଟିଫିକେଟ୍ ପାଇଁ କୋଚିଂ ସେଂଟରରେ ହେଉଥିଲା ନକଲି ପରୀକ୍ଷା । ପିଲାଙ୍କୁ ଅନଲାଇନ୍ ପରୀକ୍ଷା ଦେବାକୁ କୁହାଯାଉଥିଲା । ପରୀକ୍ଷାରେ କାଳେ କିଏ କମ୍ ମାର୍କ ରଖିବ ବୋଲି କହି ନକଲି ପରୀକ୍ଷାର୍ଥୀଙ୍କୁ ବି କମ୍ପ୍ୟୁଟର ସାମ୍ନାରେ ବସାଯାଉଥିଲା । କମ୍ପ୍ୟୁଟରରେ ପୂର୍ବରୁ ଫିଡ୍ କରାଯାଇଥିବା ପ୍ରଶ୍ନପତ୍ରରେ ପରୀକ୍ଷା କରାଯାଉଥିଲା । ଏପରି ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାରେ ସାର୍ଟିଫିକେଟ୍ ବିକ୍ରି କରୁଥିଲେ ମନୋଜ ଓ ଆଲୋକ । କ୍ରାଇମ୍ବ୍ରାଂଚ ଏନେଇ ସୂଚନା ପାଇବା ପରେ ଏହି ଦିଗରେ ବି ପ୍ରମାଣ ସଂଗ୍ରହ କରିଥିବା ଜଣାପଡ଼ିଛି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁସ୍ତକ କୋଚିଂ ସେଣ୍ଟରରୁ ଜବତ କରିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.