ଓସିଏସ-୨୦୨୧ ଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଓସିଏସ-୨୦୨୧ ଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ। ପରୀକ୍ଷାର ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଏବେ ପ୍ରକାଶ ପାଇବନି ଫଳ। କାରଣ ଫଳ ପ୍ରକାଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ।

ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସତୀଶଙ୍କୁ ୪୦% ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ବେଳେ ସେ କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରିଛନ୍ତି। ଏଥିସହ ଏବେ ଜାରି ରହିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରା ଯାଇ ନ ଥିବାରୁ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସତୀଶ।

ସତୀଶ ଦାବି କରିଛନ୍ତି ଯେ, ତାଙ୍କ ଡିଜାବଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର। ଏହାବାଦ ଏବେ ଚାଲିଥିବା ପର୍ସନାଲିଟି ଟେଷ୍ଟରେ ଓଡ଼ିଶା ଲୋକ ସେବା ଆୟୋଗ ତାଙ୍କୁ ସାମିଲ କରୁ। ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବ । ଆସନ୍ତା ଶୁଣାଣିରେ ମେଡିକାଲ ବୋର୍ଡ ସତୀଶଙ୍କ ଡିଜାବିଲିଟି ରିପୋର୍ଟ ଦାଖଲ କରିବେ। ଏଥିସହ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଓପିଏସସି ନିଜର ଜବାବ ଦାଖଲ କରିବେ।

ତେଣୁ ସେ ପର୍ୟ୍ୟନ୍ତ ଫଳ ପ୍ରକାଶନର ସମ୍ଭାବନା ନାହିଁ। ଏହାପରେ କେବେ ଫଳ ପ୍ରକାଶ ପାଇବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ହାଇକୋର୍ଟଙ୍କ ଏପରି ରାୟ ପରେ ଆଶାୟୀ ପ୍ରାର୍ଥୀଙ୍କ ମନ ଭାଙ୍ଗି ଯାଇଛି। କେବେ ରେଜଲ୍ଟ ବାହାରିବ, କେବେ ସେମାନଙ୍କ ପରିଶ୍ରମର ଫଳ ପାଇବେ, ତାହା ଉପରେ ସେମାନଙ୍କ ନଜର ରହିଛି ।

Leave A Reply

Your email address will not be published.