ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ହନିଟ୍ରାପ ମାମଲାର କିଙ୍ଗପିନ ଅର୍ଚ୍ଚନା ନାଗର ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ। ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ରୁଜ୍ଜୁ ମାମଲାରେ ଅର୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା, ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ସହର ଛାଡ଼ି ବାହାରକୁ ନଯିବା ଭଳି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା। ପୂର୍ବରୁ ନୟାପଲ୍ଲୀ ଥାନାରେ ରୁଜ୍ଜୁ ହୋଇଥିବା ମାମଲାରେ ଅର୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ଜେଲରୁ ମୁକୁଳିବେ ନାହିଁ । ଇଡି ମାମଲାରେ ଉଭୟ ମଧ୍ୟ ଅଭିଯୁକ୍ତ ଅଛନ୍ତି। ତେବେ ଇଡି ରେ ଦାୟର ହୋଇଥିବା ମାମଲାରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅର୍ଚନା।
ଆଜି ଯଦିଓ ଉକ୍ତ ଆବେଦନର ଶୁଣାଣି ହୋଇଥିଲା କିନ୍ତୁ ପୂର୍ଣ୍ଣାଙ୍ଗ ଶୁଣାଣି ଲାଗି ଆଉ କିଛି ଦସ୍ତାବିଜ ଦାଖଲ କରିବାକୁ ଇଡି ପକ୍ଷରୁ ସମୟ ମଗାଯାଇଛି। ଆସନ୍ତା ୯ ତାରିଖ ଦିନ ଇଡି ମାମଲା ଉପରେ ହାଇକୋର୍ଟ ଶୁଣାଣି କରିବେ ବୋଲି ଧାର୍ଯ୍ୟ କରିଛନ୍ତି। ଅର୍ଚ୍ଚନା ନାଗ ନିଜ ଫାଶରେ ଫସାଇ ଥିଲେ ବହୁ ରାଜନେତା, ବଡ଼ ବ୍ୟବସାୟୀ, ସିନେ ପ୍ରଯୋଜକ ଏଭଳି ଅନେକଙ୍କୁ। ୧୦ ରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ବ୍ଲାକମେଲ କରି କାମରେ ଲଗାଉଥିଲେ। ଟାର୍ଗେଟରେ ଥିବା ବ୍ୟକ୍ତି ଫସିଗଲା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ। ତାପରେ ଆରମ୍ଭ ହେଉଥିଲା ତାଙ୍କ କାରନାମା।
ଦୁର୍ବଳ ମୁହୂର୍ତ୍ତର ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକାଇ କରୁଥିଲେ କୋଟି କୋଟି ଟଙ୍କା ରୋଜଗାର। ଆଖିଦୃଶିଆ ରୋଜଗାର ନ ଥାଇ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଅର୍ଚ୍ଚନା ନାଗ। ରେଞ୍ଜରୋଭର, ଥର ଭଳି ଗାଡି ଚଢୁଥିଲା ବେଳେ ଆଲିସାନ ବଙ୍ଗଳା ଓ ଫାର୍ମ ହାଉସରେ ଘୋଡା ରଖିଥିଲେ। ମାତ୍ର ୫ ବର୍ଷ ତଳେ ଭୁବନେଶ୍ୱରରେ ବିଉଟିପାର୍ଲରରେ କାମ କରୁଥିବା ଅର୍ଚ୍ଚନା କିଭଳି ଏତେ କୋଟିର ମାଲିକ ହୋଇ ପାରିଲେ ତାହାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।