ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା: ତିନି ମାସ ମଧ୍ୟରେ ଫ୍ୟାମିଲ କୋର୍ଟରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁଚର୍ଚ୍ଚିତ ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭଵ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରି ତିନି ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ଜେରା ପ୍ରକ୍ରିୟା ଶେଷ ହୋଇ ନ ଥିବା ବେଳେ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଜେରା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଦୀର୍ଘ ଦୁଇ ଘଣ୍ଟା ଧରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରି ପାରିବେ ହାଇକୋର୍ଟ ଓକିଲ। ଏହାପରେ ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଏହା ସହିତ ୩ ମାସ ଏହି ପାରିବାରିକ ବିବାଦର ଶୁଣାଣି ଶେଷ କରି ପରିବାର ଅଦାଲତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ପାରିବାରିକ ବିବାଦର ମୂଳ ମାମଲା ଅନୁଭଵ ମହାନ୍ତିଙ୍କ ଦ୍ଵାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୬ ତାରିଖରେ ରୁଜ୍ଜୁ ହୋଇଥିଲା। ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ସୁପ୍ରିମକୋର୍ଟ। କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ସେବେଠାରୁ ଉଭୟ ଉଭୟଙ୍କ ନାମରେ ଅନେକ ମକଦ୍ଦମା ବିଭିନ୍ନ କୋର୍ଟରେ ରୁଜ୍ଜୁ କରିଛନ୍ତି। ଅନ୍ୟପଟରେ କଟକ ପରିବାର ଅଦାଲତରେ ମାମଲାର ତ୍ୱରିତ ଶୁଣାଣି ହେଉ ନ ଥିବା ଦର୍ଶାଇ ମାମଲାକୁ ଭୁବନେଶ୍ୱର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି କଟକ ପରିବାର ଅଦାଲତ ତିନି ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।