ଭୁବନେଶ୍ୱର: ରାଜଧାନୀ ଲୋୟର ପିଏମଜିରେ ଓଡିଶା ସରକାରୀ ହାଇସ୍କୁଲର ଚୁକ୍ତଭିତ୍ତିକ କର୍ମଚାରୀ ଆନ୍ଦୋଳନ କରୁଛନ୍ତି । ଗତ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଛି ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ । ସଂଘ ସଭାପତି ପଂଚାନନ ଜେନା କହିଛନ୍ତି ଯେ ଗତ ନଭେମ୍ବର ୧୫ ତାରିଖରେ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ । ସେହି ଅନୁସାରେ ଏକ ନୋଟିଫିକେସନ ପ୍ରକାଶ କରାଯାଇଥିଲା ଏବଂ ସମସ୍ତ ଚୁକ୍ତିଭିତ୍ତିକ ପଦବିକୁ ନିୟମିତ କରି ୬ଟି ଇନ୍କ୍ରିମେଂଟଣ୍ଟଦେବା ପାଇଁ ପ୍ରକାଶ କରାଯାଇଥିଲା ।
କିନ୍ତୁ ଏହି ନିୟମକୁ ଗଣଶିକ୍ଷା ବିଭାଗ କାର୍ୟ୍ୟକାରୀ ନ କରିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା । ଏବେ ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଂଚିତ ହେଉଛନ୍ତି । ସେହିଭଳି ୨୦୧୬ ବ୍ୟାଚର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକ ୭ ବର୍ଷ ପରେ ବି ନିୟମିତ ହୋଇପାରୁନାହାନ୍ତି । ତେଣୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସମ୍ପାଦକ ସତ୍ୟଭୂଷଣ ତରାଇ କହିଛନ୍ତି ।
ଅନ୍ୟପଟେ ସେମାନଙ୍କ ଚାକିରି ନିୟମିତ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି । ଏଣୁ ଶିକ୍ଷକମାନେ ଆନ୍ଦୋଳନ ଛାଡି ଧୈର୍ୟ୍ୟର ସହ ଅପେକ୍ଷା କରନ୍ତୁ । ଏଭଳି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାଶ ।