ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍‌ଘାଟନ କରିବେ। ଏଥିରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ (ହାଇ କମିସନର) ଯୋଗଦେବେ। ପ୍ରତିଦିନ ଗୋଟିଏ କିମ୍ବା ଦୁଇ ଦେଶର କଳାକାର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ବର୍ତ୍ତମାନ ସୁଦ୍ଧା ୮ ଦେଶର କଳାକାର ଆସିବା ସ୍ଥିର ହୋଇ ସାରିଲାଣି। ତେବେ ପ୍ରଥମ ଦିନ ଭଜନ ସମାରୋହ ଆୟୋଜିତ ହେବ। ଚଳିତଥର ବାଲିଯାତ୍ରାରେ ଅନେକ ନୂଆ ଘଟିବାକୁ ଯାଉଛି।

ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ପାଇଁ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃଣେଇ ଭଳି ବିଭିନ୍ନ ରାଷ୍ଟ୍ରରୁ ଅତିଥିମାନେ ଯୋଗଦେବେ। ମନୋରଞ୍ଜନ ନିମନ୍ତେ ବଲିଉଡ୍‌ ନାଇଟ୍‌ ସହ ଲେଜର ଶୋ, ଡ୍ରୋନ୍ ଶୋ, କାଇଟ୍ ଫେଷ୍ଟିଭାଲ ଆଦି ବ୍ୟବସ୍ଥା କରାଯାଇଛି। ଉପର ପଡ଼ିଆ ଓ ତଳ ପଡ଼ିଆକୁ ମିଶାଇ ଯାତ୍ରାରେ ୨୫୦୦ରୁ ଅଧିକ ଛୋଟ ବଡ଼ ଷ୍ଟଲ ସ୍ଥାନ ପାଇଛି। ସେଥିମଧ୍ୟରୁ ଓର୍‌ମାସର ରହିଛି ୫୦୦ ଷ୍ଟଲ। ଚଳିତଥର ୭ଟି ଅନ୍ତର୍ଜାତୀୟ ଷ୍ଟଲ ମଧ୍ୟ ସ୍ଥାନ ପାଇଛି। ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର।

ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ। ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ।ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମି ଓ ଫ୍ରିସ-ବି ଦୋଳି। ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ। ଚଳିତବର୍ଷ ବାଲିଯାତ୍ରା ‘କଟକ ଇନ୍ କଟକ’ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ। ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି। ବୟସ୍କଙ୍କ ପାଇଁ ୮ ସିଟ୍‌ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ- ରିକ୍ସା ବ୍ୟବସ୍ଥା ହୋଇଛି। ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ।

Comments are closed.