ବଲାଙ୍ଗୀର(ଓଡ଼ିଆ ନ୍ୟୁଜ୍):ଗରିବ କଲ୍ୟାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏସବୁ ଯୋଜନା ଧାଡ଼ିର ଶେଷ ମୁଣ୍ଡରେ ଥିବା ଲୋକଟେ ପାଇଁ ସାତ ସପନ ହେଇଯାଇଛି । ଫଳରେ ଦୁଃଖ ଓ ଦରିଦ୍ରତା ଭିତରେ ଦିନ କାଟୁଛନ୍ତି ଦମୟନ୍ତୀଙ୍କ ଭଳି ମଣିଷମାନେ । ଭଲକରି ଟିକେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ । କେତେ କରୁଣ, କେତେ ଅସହାୟ ଏ ବୃଦ୍ଧା ମାଉସୀ ।ଏ ହେଉଛନ୍ତି ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମର ଦମୟନ୍ତୀ ବିଶି । ଦୀର୍ଘ ଆଠ ବର୍ଷ ହେବ ଏଇ ହୁଙ୍କା ସଦୃଶ ମାଟି ଘରେ ରହି ଆସୁଛନ୍ତି। କାରଣ ପରିଣତ ବୟସରେ ଅଣ୍ଟାରେ ଜୁ ନାହିଁ କି ଅଣ୍ଟିରେ ସାମର୍ଥ୍ୟ ନାହିଁ ଝୁମ୍ପୁଡ଼ି ଘରଟେ ତୋଳିବାକୁ । ଯେଉଁଥି ପାଇଁ ଗାଁ ମଝିରେ ମାଟିରେ ଏଭଳି ଘର ଟିଏ କରି ସେଥିରେ ଦିନ କାଟୁଛନ୍ତି।
ବୃଦ୍ଧାଙ୍କ ପରିବାର ତାଙ୍କୁ ଦୂରେଇଦେଇଥିବା ବେଳେ ଦୀର୍ଘଦିନ ଧରି ସେ ଏକା ଏଠି ଏମିତି ରହିଆସୁଛନ୍ତି। ପେଟ ଚାଖଣ୍ଡେ ପାଇଁ ନିଜେ ଭିକ୍ଷା ବୃତ୍ତି କରନ୍ତି। ତେବେ ପକ୍କା ଘର ଖଣ୍ଡେ ପାଇଁ ସେ ଦୀର୍ଘ ଦିନରୁ ଆବେଦନ କରିଥିଲେ ହେଁ ଏଯାଏଁ ତାହା ସେ ପାଇ ପାରି ନାହାଁନ୍ତି। ଶେଷରେ ବୃଦ୍ଧା ଜଣକ ଅନ୍ୟ ଉପାୟ ଏଇ ହୁଙ୍କା ସଦୃଶ ମାଟିଘରେ ରହିଆସୁଛନ୍ତି। ସେପଟେ ବୃଦ୍ଧାଙ୍କ ଏହି ଅଭାବନୀୟ ପରିସ୍ଥିତି ଓ ଦୁଃସ୍ଥିତିକୁ ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଡିଓ । ସେ କହିଛନ୍ତି ବୃଦ୍ଧାଂକୁ ଚାଉଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ତେବେ ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା ବେଳେ ଶୀଘ୍ର ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଯଦି ପରିବାର ଲୋକେ ତାଙ୍କୁ ରଖିବା ପାଇଁ ମନା କଲେ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରାଯିବ ବୋଲି ବିଡିଓ କହିଛନ୍ତି।