ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଜାରି ରହିଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମଣିପୁର ସରକାର ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିବୃତି ଅନୁଯାୟୀ ୧୯ ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳକୁ ଛାଡ଼ିଦେଲେ ସମଗ୍ର ରାଜ୍ୟକୁ ଆଫସ୍ପା (ସେନାବାହିନୀର ସ୍ବତନ୍ତ୍ର କ୍ଷମତା ଆଇନ) ଅଧୀନରେ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରାଯାଇଛି। ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀର ହିଂସାତ୍ମକ କାର୍ଯ୍ୟ ପାଇଁ ସମଗ୍ର ରାଜ୍ୟକୁ ଏବେ ହାଇଆଲର୍ଟରେ ରଖାଯାଇଛି ଏବଂ ଆଫସ୍ପା ବ୍ୟବହାର କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଅଶାନ୍ତ ଅଞ୍ଚଳ ବାହାରେ ଥିବା ୧୯ଟି ଥାନା ଅଞ୍ଚଳ ହେଉଛି ଇମ୍ଫାଲ, ଲାମ୍ଫେଲ ସିଟି, ସିଙ୍ଗଜମେଇ, ସେକମଇ, ଲାମସଙ୍ଗ, ପାଟସୋଇ, ୱାଙ୍ଗୋଇ, ପରମପଟ, ହେଙ୍ଗାଙ୍ଗ୍, ଲାମ୍ଲାଇ, ଇର୍ଲିବଙ୍ଗ, ଲେମାଖଙ୍ଗ, ଥୌବାଲ, ବିଷ୍ଣୁପୁର, ନାମ୍ବୋଲ, ମୋଇରାଙ୍ଗ, କାକ୍ଚିଙ୍ଗ ଏବଂ ଜିରିବାମ୍ । ରାଜ୍ୟରେ ଜାରି ରହିଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ସରକାର ବର୍ତ୍ତମାନର ଅଶାନ୍ତ ଅଞ୍ଚଳଗୁଡ଼ିକରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସମାନ ସ୍ଥିତାବସ୍ଥା ଜାରି ରଖିବାପାଇଁ ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ମଣିପୁରରେ ଗତ ଜୁଲାଇରୁ ନିଖୋଜ ଥିବା ୨ ଛାତ୍ରଙ୍କ ହତ୍ୟା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିଛନ୍ତି ଏବଂ ଜୋରଦାର ଆନ୍ଦୋଳନ କରିଛନ୍ତି। ଫିଜମ ହେମଜିତ (୨୦) ଏବଂ ହିଜମ ଲିନ୍ଥୋଇଙ୍ଗାମ୍ବି (୧୭) ଗତ ଜୁଲାଇରୁ ନିଖୋଜ ଥିଲେ। ସେମାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ଉକ୍ତ ଘଟଣାକୁ ବିରୋଧ କରି ଆନ୍ଦୋଳନ ଓ ହିଂସା ତେଜିବାରୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ କହିଛନ୍ତି, ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଇମ୍ଫାଲ ଏବଂ ଅନ୍ୟ ଅଂଚଳରେ ମଣିପୁର ପୁଲିସ, ସିଆରପିଏଫ୍ ଏବଂ ଆରଏଏଫ୍ କର୍ମୀ ମୁତୟନ ହୋଇଛନ୍ତି।