ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଧାନସଭା ଚାଲୁଥିବା ବେଳେ ପର୍ଣ୍ଣ ଭିଡିଓ ଦେଖିଲେ ବିଧାୟକ। ବିଧାନସଭା ଭଳି ପବିତ୍ର ଗୃହରେ ଅଶ୍ଲୀଳ ଭିଡିଓ ଦେଖି ବିଜେପି ବିଧାୟକ ବିବାଦୀୟ ଘେରକୁ ଆସିଛନ୍ତି। ତ୍ରିପୁରା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲୁଥିବା ବେଳେ ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ହେଉଛନ୍ତି ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଯାଦବ ଲାଲ ନାଥ। ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ପରେ ବିଜେପି, ବିଧାୟକଙ୍କଠାରୁ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ମାଗି ତାଙ୍କୁ ସମନ ପଠାଇଛି। ଶ୍ରୀ ନାଥ ଏପର୍ଯ୍ୟନ୍ତ ଅଭିଯୋଗ କିମ୍ବା ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅଧିବେଶନ ଶେଷ ହେବା ପରେ ସେ ବିଧାନସଭା ପରିସର ଛାଡିଥିବା ଜଣାପଡ଼ିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ୨୦୧୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଭିତରେ ନିଜ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
କହିରଖେ କି, କିଛୁଦିନ ତଳେ ଜଣେ ବିଧାୟକଙ୍କ ନିକଟକୁ ଆସିଲା ଅଶ୍ଳୀଳ ଭିଡିଓ କଲ୍ । ବିଧାୟକ ଜଣକ ଭିଡିଓ ଦେଖି ଫସିଯାଇଥିଲେ । ପରେ ଥାନରେ ଅଭିଯୋଗ ହେଲା । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ପରେ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଗଲା । ଅଶ୍ଳୀଳ ଭିଡିଓ କଲ୍ କରିଥିବା ବ୍ୟକ୍ତି ଜଣକ ଯୁବତୀ ନୁହଁନ୍ତି ବରଂ ଜଣେ ଯୁବକ ବୋଲି ଜଣାପଡ଼ିଥିଲା । ଯୁବତୀ ବେଶ ଧରି ମହାରାଷ୍ଟ୍ରର ଜଣେ ବିଧାୟକଙ୍କୁ ଭିଡିଓ କଲିଂ କରିଥିଲେ । ବିଧାୟକଙ୍କ ନିକଟକୁ ଅଶ୍ଳୀଳ ଭିଡିଓ କଲ୍ କରିବା ଅଭିଯୋଗରେ ଗତ ସପ୍ତାହରେ ଏହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ରାଜସ୍ଥାନ ଭରତପୁରର ୨୫ ବର୍ଷିୟ ରିଜୱାନ ଅସଲମ ଖାନ ବୋଲି ପୋଲିସ ସୂଚନା ଦେଇଛି । ଏଥି ସହ ଅଭିଯୁକ୍ତ ନାଁରେ ଶିବାଜିନଗର ପୋଲିସ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛି ।
ଗତ ରବିବାର ଦିନ ରାଜସ୍ଥାନ ଭରତପୁରରୁ ରିଜୱାନ ଅସଲମ ଖାନଙ୍କୁ ପୋଲିସ ଗରିଫ କରିଥିଲା । ଘଟଣାରେ ୨୩ ବର୍ଷୀୟ ମେକାନିକ୍ ଖାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିବା ପୋଲିସ କହିଛି । ଏନେଇ ସାଇବର ପୋଲିସର ବରିଷ୍ଠ ଇନ୍ସପେକ୍ଟର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅଭିଯୁକ୍ତ ଜଣକ ୪ଟି ଫୋନ୍ ନମ୍ବର ବ୍ୟବହାର କରୁଥିଲେ । ଆମେ ତାଙ୍କର ଗୋଟିଏ ସ୍ମାର୍ଟଫୋନକୁ ଜବତ କରିଛୁ । ସେଥିରେ ୮୧ଟି ଅଶ୍ଳୀଳ ଭିଡିଓ ରହିଥିଲା । ଆମେ ତାଙ୍କ ସୋସିଆଲ୍ ନେଟୱାର୍କିଂ ସାଇଟର ଚାଟ୍ ମଧ୍ୟ ଯାଞ୍ଚ କରିଛୁ । ଅନୁସନ୍ଧାନ ଅନୁଯାୟୀ ସେ ଜଣେ ମହିଳା ଭାବରେ ଅଭିନୟ କରି ନଗ୍ନ ଭିଡିଓ କଲ୍ କରିଥିଲେ । ଘଟଣାକୁ ନେଇ ବର୍ତ୍ତମାନ ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର ରହିଛି ।