ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତରେ ବଢୁଛି ବାଘଙ୍କ ସଂଖ୍ୟା । ବାଘ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନେଉଛନ୍ତି ଅନେକ ପଦକ୍ଷେପ । ୨୦୦୬ରେ ଭାରତରେ ୧,୪୧୧ ବାଘ ଥିବାବେଳେ ୨୦୨୨ରେ ଏହା ୩,୬୮୨କୁ ବୃ୍ଦ୍ଧି ପାଇଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଉପରୋକ୍ତ ଉତ୍ତର ରଖିଥିଲେ। ଜନସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦେଶର କେତେକ ପକ୍ଷୀ, ଫୁଲ ଓ ପ୍ରାଣୀଙ୍କୁ ଜାତୀୟ ପକ୍ଷୀ, ଜାତୀୟ ଫୁଲ ଓ ଜାତୀୟ ପ୍ରାଣୀ ଘୋଷଣା କରାଯାଇ ସେମାନଙ୍କୁ ସୁରକ୍ଷା ସମେତ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯିବ କି ବୋଲି ରେଡ୍ଡୀଙ୍କୁ ପ୍ରଶ୍ନ କରାଯାଇଥିଲା।
ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତ ସରକାରଙ୍କ ପକ୍ଷରୁ ବାଘକୁ ଜାତୀୟ ପ୍ରାଣୀ ଏବଂ ମୟୂରକୁ ଜାତୀୟ ପକ୍ଷୀ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ମନ୍ତ୍ରୀ କହିଥିଲେ। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଅନୁଚ୍ଛେଦ-୧ରେ ବାଘ ଓ ମୟୂରଙ୍କୁ ସାମିଲ କରାଯାଇ ସେମାନଙ୍କୁ ସର୍ବାଧିକ ସୁରକ୍ଷା ଦିଆଯାଇଥିବା ରେଡ୍ଡୀ କହିଥିଲେ।