ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚାକରିରୁ ବିଦା ହେବା ପରେ କାଶ୍ମୀର ପୁଲିସ ଡିଜି ଓ କେନ୍ଦ୍ର ଗୃହ ସଚିବଙ୍କୁ ଚ୍ୟାଲେଞ୍ଜ କଲେ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ । ନିଜର ସୋସଆଲ ମିଡିଆ ଆକାଉଣ୍ଟରେ ବିବାଦୀୟ ଟୁଇଟ୍ କରିବା ପରେ ନିଲମ୍ବିତ ଥିବା ବସନ୍ତ ରଥଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର । ଏହା ପରେ ସେ ରାଜନୀତିରେ ସକ୍ରିୟ ରହିବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ବିଜେପିର ପ୍ରାଥମିକ ସଦସ୍ୟ ଭାବେ ପଞ୍ଜିକୃତ କରିଛନ୍ତି । ଏନେଇ ନିଜେ ବସନ୍ତ ରଥ ଟୁଇଟ୍ କରି ସୂଚନା ଦେଇଛନ୍ତି।
୨୦୦୦ ମସିହାର ଏହି ଆଇପିଏସ ଅଫିସରଙ୍କୁ ଗତ ୮ ତାରିଖରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର । ନିଜର ବୟାନ ଓ ବ୍ୟବହାର ପାଇଁ ବସନ୍ତ ରଥଙ୍କୁ ୨୦୨୦ ମସିହାରୁ ନିଲମ୍ବିତ କରାଯାଇଥିଲା । ଆଇଜି ର୍ୟାଙ୍କର ଅଧିକାରୀ ଥାଇ ବି ସବୁବେଳେ ନିଜର ସୋସିଆଲ ମିଡିଆ ଆକାଂଉଟରେ ବିବାଦୀୟ ଟ୍ୱିଟ କରି ଚର୍ଚ୍ଚାରେ ରହୁଥିଲେ ବସନ୍ତ ରଥ । ବିବାଦୀୟ ମନ୍ତବ୍ୟ ବି ଦେଉଥିଲେ । ଯେଉଁଥି ପାଇଁ ସେ ସବୁବେଳେ ବିବାଦରେ ରହୁଥିଲେ । ଓଡିଶାରେ ଜନ୍ମ ହୋଇଥିଲେ ବି କାଶ୍ମୀରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବସନ୍ତଙ୍କ ପିଲାଦିନ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଘରେ ଖାଇବାକୁ ନଥିଲା । ଆଉ ଯେତେବେଳେ ସେ ମାଆଙ୍କୁ ଏ ବିଷୟରେ ପଚାରୁଥିଲେ ସେତେବେଳେ ଉତର ମିଳୁଥିଲା , ଆଜି ବ୍ରତ ଅଛି । କଲେଜରେ ପଢିବାବେଳେ ପିନ୍ଧିବା ପାଇଁ ଚପଲ ବି ନଥିଲା । କିନ୍ତୁ ଜଣେ ଦକ୍ଷ ଅଫିସର ଭାବରେ ସେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏବେ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କର ପରବର୍ତୀ ପଦ କ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
ବସନ୍ତ ରଥ ବିଜେପି ସମର୍ଥକ ଭାବେ ବେଶ ଜଣାଶୁଣା । ବିଜେପି ସମର୍ଥନରେ ସେ ବାରମ୍ବାର ଟ୍ୱିଟ କରି ଚର୍ଚ୍ଚାକୁ ଆସିଥିଲେ । ଏକ ଟ୍ୱିଟରେ ସେ ଲେଖିଥିଲେ ଯଦି ସେ କୌଣସି ରାଜନୈତିକ ଦଳରେ ଯୋଗଦେବେ ତାହାହେଳେ ତାହା ବିଜେପି ହିଁ ହେବ । ବସନ୍ତ ରଥ ପୂର୍ବରୁ ଗତବର୍ଷ ଜୁନରେ ହିଁ ଚାକିରିରୁ ଇସ୍ତଫା ଦେଇ ପିଡିପି ନେତ୍ରୀ ମେହେବୁବା ମୁଫତିଙ୍କ ବିରୋଧରେ ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ବିଜେପି କି ଆଭିମୁଖ୍ୟ ନେଉଛି ତା ଉପରେ ସମସ୍ତଙ୍କ ନଜର।