ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଶାଡି ଯୁବକଙ୍କ ଉନ୍ମକ୍ତ କାଣ୍ଡ ଘଟଣାରେ ୮ଜଣକୁ ଧରିବାରେ ବାରିପଦା ସଦର ଥାନା ପୁଲିସ ସଫଳ ହୋଇଛି। ଏଥି ସହିତ ଅନ୍ୟ ୯ଜଣ ଫେରାର ଥିବା ନେଇ ସୂଚନା ମିଳିଛି। ଏନେଇ ବାରିପଦା ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଗିରଫ ମାନେ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ କୁନ୍ଦନ ମୁଖୀ, ଭିଠଳ ମୁଖୀ, ସଞ୍ଜୟ ଦାସ, ସମ୍ଭୁ ଗୋପାଳ, ସତ୍ୟ ନାରାୟଣ ଦାସ, ସୁନିଲ ମହାପାତ୍ର ଓ ରାଜେଶ ମହାନ୍ତ। ଗତ ଜୁଲାଇ ୨୪ ତାରିଖରେ ବାରିପଦା ସହରର ବିଭିନ୍ନ ଅଞ୍ଚଳର ପ୍ରାୟ ୧୭ଜଣ ଯୁବକ ମାନେ ନିଶାଶକ୍ତ ଅବସ୍ଥାରେ ଉନ୍ମକ୍ତ କାଣ୍ଡ ଭିଆଇଥିଲେ। ବାରିପଦା ସଦର ଥାନା ଅନ୍ତର୍ଗତ ପୋଡା ଅସ୍ତିଆ-ଲୁଲୁଙ୍ଗ ରାସ୍ତାର ଧନପୁର ଛକ ନିକଟରେ ଉକ୍ତ ଘଟଣା ଘଟିଥିଲା।
କିଛି ବିଶୃଙ୍ଖଳିତ ଯୁବକ ନିଶାଶକ୍ତ ଅବସ୍ଥାରେ ଉତ୍ପାତ ଚିନ୍ତାଜନକ ରହିଥିଲା। ଯୁବକ ମାନେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଲୁଲୁଙ୍ଗ ଅଞ୍ଚଳରୁ ନିଶାଶକ୍ତ ଅବସ୍ଥାରେ ଫେରିବା ବେଳେ ଘଟଣାର ସୂତ୍ରପାତ ହୋଇଥିଲା। ପୂର୍ବାହ୍ନ ୪ସମୟରେ ମାନସ ଗୋଚ୍ଛାୟତ ନାମକ ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ଛୁଆକୁ ଧରି କେନ୍ଦୁଆରୁ ବାଇକରେ ଯାଉଥିବା ବେଳେ ତାଙ୍କ ଅଟକାଇ ଥିଲେ। ତାଙ୍କ ପତ୍ନୀଙ୍କ ବେକରୁ ସୁନାହାର ଛିନତାଇ କରିବା ସମେତ ମାନସ ଗୋଚ୍ଛାୟତଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ଇଟା ମାରି ଫଟାଇବା ସହ ପିଟାମରା କରିଥିଲେ। ମାନସ ଗୋଚ୍ଛାୟତ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ନିଶାସକ୍ତ ପିଲାମାନଙ୍କୁ ଘଡାଉ ଦେଇଥିଲେ। ମାନସଙ୍କ ପ୍ରଚୁର ରକ୍ତସ୍ରାବ ହେବାରୁ ତାଙ୍କୁ ଉଦ୍ଧାର କରି ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇ ଦେଇଥିଲେ। ତେବେ ଏଥିପରେ ଯୁବକ ମାନେ ଉତକ୍ଷିପ୍ତ ହୋଇ ତାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ଡ଼କାଇଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ଘଟଣାସ୍ଥଳକୁ ଆସି ଉତ୍ପାତ ମଚାଇଥିଲେ। ନଜରରେ ଯେଉଁ ଗାଡି ଓ ଲୋକ ଆସିଲେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
୫-୬ଗୋଟି ଚାରିଚକିଆ ଗାଡି ଗୁଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଶାମାଖୁଣ୍ଟା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବୋଲେରୋ ଗାଡିକୁ ଭଙ୍ଗାରୁଜା କରିଥିଲେ। ଦରକାରୀ କାଗଜ ପତ୍ର ନେଇ ବାରିପଦା ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ନେଇ ଶାମାଖୁଣ୍ଟା ବ୍ଲକ ଅଭିମୁଖେ ଫେରୁଥିବା ବେଳେ ଧନପୁର ଛକ ନିକଟରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏନେଇ ବାରିପଦା ଟାଉନ ଓ ସଦର ଥାନାରେ ଅଭିଯୋଗକ୍ରମେ ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତିଙ୍କ ନେତୃତ୍ୱରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି। ସମ୍ପୃକ୍ତ ୧୭ଜଣଙ୍କ ମଧ୍ୟରୁ ୮ଜଣକୁ ପୁଲିସ ଧରିଥିବା ବେଳେ ସେଥି ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ଏଥି ସହିତ ୯ଜଣ ଫେରାର ଯୁବକ ମାନଙ୍କୁ ଗିରଫ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ୭ଜଣକୁ କୋର୍ଟ ଚାଲାଣ କରାଯିବା ସମେତ ଜଣେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି ବୋଲି ସୂଚନା ମିଳିଛି।