ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସମ୍ବଲପୁର ସରଲା ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୨୬ ସମୟରେ ମାଲବାହୀ ଟ୍ରେନ୍ ର ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି। ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଏହି ମାର୍ଗରେ ଟ୍ରେନ୍ ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଆଜି ହାଓ୍ବଡ଼ା-ମୁମ୍ବଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଏହାବ୍ୟତୀତ ଗତ କିଛି ଦିନ ଧରି ଲଗାତର ଭାବେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି।