ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରିରହିଛି । ଉତ୍ତରପ୍ରଦେଶରୁ ଦିଲ୍ଲୀ, ହରିୟାଣା, ବିହାର, ବଙ୍ଗଳା ପର୍ୟ୍ୟନ୍ତ ଏହି ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ ।
http://joinindianarmy.nic.in ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ସେନା ନିଯୁକ୍ତି ସଂଗଠନ ଏକ ବିସ୍ତୃତ କାର୍ୟ୍ୟସୂଚୀ ଘୋଷଣା କରିବ । ଅଗ୍ନିପଥ ଯୋଜନା ଆରମ୍ଭ ପାଇଁ କେନ୍ଦ୍ର ସରକାର ଏପର୍ୟ୍ୟନ୍ତ ସରକାରୀ ତାରିଖ ଘୋଷଣା କରିନଥିବା ବେଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଦିନ କହିଛନ୍ତି ଯେ ” ଆସନ୍ତା ୯୦ ଦିନ ମଧ୍ୟରେ ‘ଆଗ୍ନିବୀର’ର ନିଯୁକ୍ତି ଆରମ୍ଭ ହେବ ଏବଂ ଜୁଲାଇ ୨୦୨୩ ସୁଦ୍ଧା ପ୍ରଥମ ବ୍ୟାଚ୍ ପ୍ରସ୍ତୁତ ହେବ ।
ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢାଇ ୨୧ରୁ ୨୩ ବର୍ଷ କରାଯାଇଛି । ଏବେ ଏହି ଯୋଜନାରେ ୨୩ ବର୍ଷ ବୟସର ଯୁବକ ଯୁବତୀମାନେ ବି ନିଯୁକ୍ତି ପାଇପାରିବେ ।