ସର୍ବନାଶ କରିଦେଲା ସାପ, ସାପ କାମୁଡାରେ ଚାଲିଗଲା ୩ଜୀବନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସାପ କାମୁଡ଼ାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଛି। ଦେବଗଡ଼ ପୌରାଞ୍ଚଳ ଜାଙ୍ଗଲୀକୁଦର ସାହିରେ ଚିତି ସାପ କାମୁଡ଼ି ଦେବାରୁ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜାଙ୍ଗଲୀକୁଦର ସାହିର ସର୍ବେଶ୍ୱର ଦେହୁରୀଙ୍କ ୧୪ ବର୍ଷର ପୁଅ ଗୌରାଙ୍ଗ ଏବଂ ୮ ବର୍ଷର ପୁଅ ସୌଭାଗ୍ୟ। ଗତକାଲି ଦୁଇ ଭାଇ ଗୌରାଙ୍ଗ ଓ ସୌଭାଗ୍ୟ ଘର ଭିତରେ ଚଟାଣରେ ଶୋଇଥିଲେ। ରାତି ପ୍ରାୟ ୪ ଟା ସମୟରେ ଦୁଇ ଭାଇଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା। ଏନେଇ ଗୌରାଙ୍ଗ ପରିବାର ଲୋକଙ୍କୁ ଜଣାଇଥିଲେ।

ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି। ଏହାସହ ଗାଁ’ରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ସାପ କାମୁଡାରେ ଦେଢ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଗତକାଲି ରାତିରେ ଘରେ ଶୋଇଥିଲେ। ହେଲେ ହଠାତ୍ ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା ଏବଂ ପୁଅକୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେଢ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମାଆ ମିନତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.