ରାଜ୍ୟରେ ଆତଙ୍କ ଖେଳାଇଲାଣି ଡେଙ୍କୁ, ପ୍ରତିଦିନ ବାହାରୁଛନ୍ତି ୧୦୦ରୁ ଅଧିକ ପଜିଟିଭ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ରାଜ୍ୟରେ ଆତଙ୍କ ଖେଳାଉଛି ଡେଙ୍କୁ। ପ୍ରତିଦିନ ବାହାରୁଛନ୍ତି ୧୦୦ରୁ ଅଧିକ ପଜିଟିଭ୍। ଗତବର୍ଷ ଏହି ସମୟରେ ଯେଉଁ ଜିଲ୍ଲାଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ଟପି ନ ଥିଲା ଚଳିତବର୍ଷ ସେସବୁ ଜିଲ୍ଲାରେ ୩ଶହ ଟପିଲାଣି। ବିଶେଷକରି ରାଜ୍ୟରେ ବର୍ତ୍ତମାନସୁଦ୍ଧା ଯେତିକି ରୋଗୀଙ୍କୁ ଚିହ୍ନଟ କରାଯାଇଛି ତାହାର କେବଳ ୮୨% ଆକ୍ରାନ୍ତ କେବଳ ୬ଟି ଜିଲ୍ଲାରୁ ହିଁ ରହିଛନ୍ତି। ଆହୁରି ୧ମାସ କିମ୍ବା ତା’ଠାରୁ ଅଧିକ ଦିନ ଡେଙ୍ଗୁର ପ୍ରଭାବ ରହିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ଦୃଷ୍ଟିରୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ଚିହ୍ନଟ ହୋଇଥିବା ସମୁଦାୟ ଆକ୍ରାନ୍ତଙ୍କଠାରୁ ବଳିଯିବ ବୋଲି ଆଶଙ୍କା କରାଯାଉଛି। ପୂର୍ବବର୍ଷ ଭଳି ଖୋର୍ଧା ଜିଲ୍ଲା ଓ ଭୁବନେଶ୍ବର ମଧ୍ୟ ଚଳିତବର୍ଷ ଡେଙ୍ଗୁର ହଟ୍‌ସ୍ପଟ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ଖୋର୍ଧା ଜିଲ୍ଲାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାବାଦ୍ ପୁରୀ ୩୯୪, କଟକ ୩୫୩, ବାଲେଶ୍ବର ୩୧୮, ଜଗତସିଂହପୁର ୧୯୭, ନୟାଗଡ଼ ୧୩୫, ସୁନ୍ଦରଗଡ଼ ୯୩, କେନ୍ଦୁଝରରୁ ୯୦ ଆକ୍ରାନ୍ତ ବାହାରିଛନ୍ତି। ଗତବର୍ଷ ଏହି ସମୟରେ ରାଜ୍ୟରେ ୨୧୭୮ ଡେଙ୍ଗୁ ରୋଗୀ ବାହାରିଥିଲେ।

ଖୋର୍ଧା ପରେ ଗତବର୍ଷ କୋରାପୁଟ ଜିଲ୍ଲା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଚଳିତବର୍ଷ କୋରାପୁଟ ଅନ୍ୟ ଜିଲ୍ଲା ତୁଳନାରେ ସଂକ୍ରମଣରେ ଭଲ ସ୍ଥିତିରେ ରହିଛି। ଅପରପକ୍ଷରେ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ପାର୍ କରିଛି। ଡେଙ୍ଗୁ ପରୀକ୍ଷା ପାଇଁ ଅଧିକ ୪୦ଟି କେନ୍ଦ୍ର ଖୋଲାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପାଣିପାଗ ସ୍ଥିତି ଭଲ ନ ଥିବା ଜିଲ୍ଲାରେ ଡେଙ୍ଗୁର ପ୍ରଭାବ ଅଧିକ ରହିଛି। ୯୫% ଡେଙ୍ଗୁ ରୋଗୀ ସ୍ବତଃପ୍ରବୃତ୍ତ ଭାବେ ଭଲ ହୋଇପାରିବେ ଓ ୫% ରୋଗୀ ଏଥିରେ ଗୁରୁତର ହେଉଛନ୍ତି। ଅଧିକାଂଶ ଡେଙ୍ଗୁ ରୋଗୀ ଲକ୍ଷଣହୀନ ହୋଇଥାନ୍ତି। ସହରରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ପାଣି ଜମୁଛି ଓ ଏହା ଡେଙ୍ଗୁ ବୃଦ୍ଧିର ପ୍ରମୁଖ କାରଣ।

Leave A Reply

Your email address will not be published.