‘ଅଗ୍ନିପଥ’ ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଏହା ଅବାନ୍ତର ନୁହେଁ ବୈଧ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ଅଗ୍ନିପଥ’ ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଏହା ଅବାନ୍ତର ନୁହେଁ ବୈଧ୍ୟ।  ଅଗ୍ନିପଥ ଯୋଜନା ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ଦୁଇଟି ପିଟିସନ୍‌ ଦାଏର କରାଯାଇଥିଲା। ଜନସ୍ବାର୍ଥ ମାମଲା ଏହି ଯୋଜନାର ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଗୌଣ କରି ପକାଉଛି ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହ ଓ ଜେ. ବି. ପାର୍ଦିୱାଲାଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଅଗ୍ନିପଥ ‌ଯୋଜନା ପ୍ରଚଳନ ହେବା ପୂର୍ବରୁ ରାଲି, ପ୍ରାର୍ଥୀମାନେ ଶାରୀରିକ ଓ ଡାକ୍ତରୀ ପରୀକ୍ଷା ଭଳି ଚୟନ ପ୍ରକ୍ରିୟାରେ ପ୍ରତିରକ୍ଷା ବଳ ପାଇଁ ମନୋନୀତ ହେଉଥିଲେ। କିନ୍ତୁ, ନିଯୁକ୍ତି ପାଇଁ ସେମାନଙ୍କର ପୂର୍ଣ୍ଣ ଅଧିକାର ନ ଥିଲା। ତେଣୁ, ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ। ହାଇକୋର୍ଟ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ରାୟ ଦେଇଛନ୍ତି ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଥିବା ପିଟିସନ୍‌ ଦୁଇଟିକୁ ପୃଥକ୍‌ ଭାବେ ଗୋପାଳକୃଷ୍ଣ ଓ ଆଡ୍‌ଭୋକେଟ୍‌ ଏମ୍‌. ଏଲ୍‌. ଶର୍ମା ହାଇକୋର୍ଟଙ୍କ ରାୟ ବିରୋଧରେ ଦାଏର କରିଥିଲେ। ଏହାଛଡ଼ା, ଅଗ୍ନିପଥ ଯୋଜାନା ପ୍ରଚଳନ ପୂର୍ବରୁ ଭାରତୀୟ ବାୟୁସେନା ନିଯୁକ୍ତି ଉପରେ ଚିନ୍ତାବ୍ୟକ୍ତ କରି ଆଗତ ଆଉ ଏକ ସଦ୍ୟ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଏପ୍ରିଲ୍‌ ୧୭ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଜବାବ ଦାଖଲ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କ‌ୋର୍ଟ ନିର୍ଦେଶ ଦେଇଛନ୍ତି।

କହିରଖେ କି, ଅଗ୍ନିପଥ ଯୋଜନା ହେଉଛି ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ। ଦେଶମାତୃକାର ସେବା ପାଇଁ ଯୁବପିଢ଼ିଙ୍କୁ ମିଳିବ ମାତ୍ର ୪ ବର୍ଷର ସୁଯୋଗ। ଏହା ମଧ୍ୟରେ ରହିଛି ୬ ମାସର କଡ଼ା ପ୍ରଶିକ୍ଷଣ। ତେବେ ଏହି ସମୟ ଅବଧି ମଧ୍ୟରେ ନିଜର ନିଷ୍ଠା ପରାକାଷ୍ଠାର ଭଲ ପ୍ରଦର୍ଶନ କରି ପାରିଲେ ପରବର୍ତ୍ତୀ ୧୫ ବର୍ଷ ପାଇଁ ସ୍ଥାୟୀ ନିଯୁକ୍ତି ମିଳିବ। ଆଉ ଏଥିପାଇଁ ପ୍ରତି ୪ ଜଣରୁ ମାତ୍ର ଜଣେ ହିଁ ସିଲେକ୍ଟ ହେବେ। ଅର୍ଥାତ୍ ମାତ୍ର ୨୫ ପ୍ରତିଶତ ଅଗ୍ନିବୀର ସ୍ଥାୟୀ ହେବେ। ଏବଂ ସେମାନଙ୍କୁ ଅବସର ପରେ ପେନସନ୍ ମିଳିବ। ପ୍ରତି ବର୍ଷ ୪୬ ହଜାର ଯୁବପିଢ଼ି ସେନାରେ ଭର୍ତ୍ତି ହେବା ପାଇଁ ସୁଯୋଗ ପାଇବେ। ଏଥିପାଇଁ ବୟସ ସୀମା ରହିଛି ୧୭ ବର୍ଷ ୬ ମାସରୁ ୨୧ ବର୍ଷ। ତେବେ ପ୍ରତିବାଦ ପରେ କେବଳ ଚଳିତ ବର୍ଷ ସେନାରେ ଭର୍ତ୍ତି ହେବାର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ଯୁବତୀଙ୍କୁ ମଧ୍ୟ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ପାଇଁ ସୁଯୋଗ ମିଳିବ ବୋଲି ସେନାମୁଖ୍ୟଙ୍କ ପକ୍ଷରୁ କୁହାଯାଇଛି ।

ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ‘ଅଗ୍ନିବୀର’ ଭାବେ ବିବେଚନା କରାଯିବ। ଦରମା ଆକାରରେ ପ୍ରତି ଅଗ୍ନିବୀରଙ୍କୁ ବର୍ଷକୁ ବର୍ଷ ବୃଦ୍ଧି ପାଇ ମାସିକ ୩୦ରୁ ୪୦ ହଜାର ଟଙ୍କା ମିଳିବ। ବାର୍ଷିକ ଆୟକୁ ହିସାବ କଲେ ସେନାରେ ଭର୍ତ୍ତି ହେବାର ପ୍ରଥମ ବର୍ଷ ୪ ଲକ୍ଷ ୭୬ ହଜାର ଦରମା ମିଳିବା ସହ ୪ର୍ଥ ବର୍ଷକୁ ବାର୍ଷିକ ୬ ଲକ୍ଷ ୯୨ ହଜାର ଟଙ୍କା ମିଳିବ। ଏହାର ୩୦ ପ୍ରତିଶତ ଅର୍ଥ ଅର୍ଥାତ୍ ୫.୦୨ ଲକ୍ଷଟଙ୍କା ପ୍ରତି ଅଗ୍ନିବୀର ନିଜର ଦରମାରୁ ଅଗ୍ନିବୀର ପାଣ୍ଠିକୁ ପ୍ରଦାନ କରିବେ। ସମାନ ପରିମାଣରେ ଟଙ୍କା ସରକାର ଜମା ରଖିବେ । ଚାରି ବର୍ଷ ପରେ ସେନାରେ ଯେଉଁ ୭୫ ପ୍ରତିଶତ ଅବସର ନେବେ ସେମାନଙ୍କୁ ସେହି ପାଣ୍ଠିରୁ ଏକା ସାଙ୍ଗେ ୧୧ ଲକ୍ଷ ୭୧ ହଜାର ଟଙ୍କାର ସେବା ନିଧି ଭାବେ ମୋଟା ଜମା ରାଶି ମଧ୍ୟ ମିଳିବ। ଯାହା ଉପରେ କୌଣସି ପ୍ରକାରର ଆୟକର ଦେବାକୁ ପଡିବ ନାହିଁ । ଯଦି ଦେଖିବା ମାତ୍ର ୨୫ ବର୍ଷରୁ କମ୍ ବୟସରେ ମାସିକ ହାରାହାରି ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରିଥିବେ ଅଗ୍ନିବୀର।

ଅଗ୍ନିପଥ ଯୋଜନାରେ ସେନାରେ ଯୋଗ ଦେବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟ ୧୦ମ ପାସ୍ ରହିଛି। ଯେଉଁମାନେ ୧୦ମ ପରେ ସେନାରେ ଯୋଗ ଦେଇଥିବେ ତାଙ୍କୁ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷା ଦିଆଯିବ। ଅର୍ଥାତ୍ ଚାକିରି ସହ ପାଠ ପଢ଼ା ହୋଇପାରିବ। ଅଗ୍ନିବୀରଙ୍କର ଯଦି ଏହି ୪ ବର୍ଷ ମଧ୍ୟରେ ମୃତ୍ୟୁ ହୁଏ ତାହେଲେ ତାଙ୍କୁ ୧ କୋଟି ଟଙ୍କାର ବୀମାରାଶି ମିଳିବ। ଏଥିପାଇଁ ୧ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଯଦି କୌଣସି କାରଣବଶତଃ ଶାରୀରିକ ଅକ୍ଷମ ହୋଇଗଲେ ତାହେଲେ ୪୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅକ୍ଷମ ବୀମା ବା ଡିଜାବୁଲ ଇନ୍ୟୁରାନ୍ସ ମଧ୍ୟ ମିଳିବ। ଏହା ସହ ଆଜୀବନ ସ୍ୱାସ୍ଥ୍ୟବୀମାର ସୁବିଧା ରହିଛି। କେବଳ ସେତିକି ନୁହେଁ ଜଣେ ଯବାନ୍ ପୂର୍ବରୁ ଯେଉଁ ସବୁ ସରକାରୀ ସୁବିଧା ପାଉଥିଲେ ତାହା ମଧ୍ୟ ଅଗ୍ନିବୀରଙ୍କୁ ମିଳିବ। କିନ୍ତୁ, ଅଗ୍ନିବୀର ଯୋଜନା ଦ୍ୱାରା ଏଣିକି ସେନାରେ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ନାହିଁ। ଏପରକି ପେନସନ୍ ସୁବିଧାରୁ ମଧ୍ୟ ସେମାନେ ବଂଚିତ ହେବେ। ଯେଉଁମାନେ ଗଲା ୨ ବର୍ଷ ହେଲା ମେଡିକାଲ ଓ ଫିଜିକାଲ ଟେଷ୍ଟ ଦେଇ ଅପେକ୍ଷା କରିଥିଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ? ଚାରି ବର୍ଷ ପରେ ଅଧାରୁ ଚାକିରିରୁ ବାହାରିବା ପରେ ଭବିଷ୍ୟତ ଅନ୍ଧାର ହୋଇ ଯାଇପାରେ। କେନ୍ଦ୍ର ଓ ରାଜ୍ୟ ସରକାରୀ ପୁଲିସରେ ସେମାନଙ୍କୁ ଚାକିରି ମିଳିବାର କିଛି ଗ୍ୟାରେଣ୍ଟି ନାହିଁ। ଯେଉଁଥି ପାଇଁ ଏହାକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଇଥିଲା

Leave A Reply

Your email address will not be published.