ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସୋନପୁର ପୋଲିସକୁ ବନ୍ଧୁକ ଦେଖାଇ ଚମ୍ପଟ ମାରୁଥିଲେ, ବନ୍ଧାହେଲେ ୩ ଅଭିଯୁକ୍ତ। ସୋମବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ମନୁମୁଣ୍ଡା ପଟୁ ଆସୁଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ। କିନ୍ତୁ କାରଟି ଦ୍ରୁତ ଗତିରେ ପଳାଇବାରୁ ତାକୁ ପୋଲିସ ଗୋଡାଇବା ସହ କାରଟିକୁ ମହାନଦୀ ପୋଲ ନିକଟରେ ଅଟକାଇଥିଲା। ସେଠାରେ କାର ଭିତରୁ ଦୁଇଟି ଦେଶି ପିସ୍ତଲ, କିଛି ଅଫୁଟା ଗୁଳି, ଗୋଟାଏ ମାଗାଜିନ, ଗୋଟାଏ ଛୁରୀ, ୫ଟି ମୋବାଇଲ ଫୋନ ଏବଂ ହୁଣ୍ଡାଇ ଭର୍ଣ୍ଣା କାର ଜବତ କରିଛି ପୋଲିସ।
ଉତ୍ତର ପ୍ରଦେଶ ବରେଲୀ ଅଞ୍ଚଳର ତିନିଜଣ ଅଭିଯୁକ୍ତ ଅଙ୍କୁର ଦିବାକର, ମୋହିତ କୁମାର ଓ ଅବଦେଶ କୁମାର ୟାଦବଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ବର୍ତ୍ତମାନ ଅଧିକ ତଦନ୍ତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା।