ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ଲାଗିଥିବା ପାରମ୍ପାରିକ ଘଂଟି ପୁନର୍ବାର ନୌସେନାକୁ ହସ୍ତାନ୍ତର କରାଯାଇଛି । ୧୯୬୧ରୁ ଏହି ଘଂଟି ୩୬ ବର୍ଷ ଧରି ନୌସେନାର ଅଂଶବିଶେଷ ଥିଲା । ଏବେ ଏହାକୁ ମେଡ ଇନ ଇଣ୍ଡିଆ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରାଇ ଦିଆଯାଇଛି । ୧୯୬୧ରେ ବ୍ରିଟିଶ ସମୟର ବିମାନ ବାହକ ଏଚଏମଏସ ହରକ୍ୟୁଲେସକୁ ଭାରତ କିଣିଥିଲା । ଏହାକୁ ଭାରତୀୟ ନାମ ଦେବା ପରେ ଏଥିରେ ଏହି ଘଂଟି ରହିଥିଲା । ୧୯୯୭ ପର୍ଯ୍ୟନ୍ତ ଏହା ଆଇଏନଏସ ବିକ୍ରାନ୍ତରେ ଲଗା ଯାଇଥିଲା । ପରେ ଏହି ଘଂଟିକୁ ହଟେଇ ଦିଆଯାଇ ନୌସେନାର ଭାଇସ ଚିଫଙ୍କ ଘରେ ରଖାଯାଇଥିଲା । ଏବେ ନିକଟରେ ଅବସରପ୍ରାପ୍ତ ଭାଇସ ଆଡମିରାଲ ଏସଏନ ଘୋରମାଣ୍ଡେ ଏହି ଘଂଟିକୁ ଫେରାଇ ଦେଇଛନ୍ତି । ଏହା ଦ୍ୱାରା ଆମ ସୈନିକମାନଙ୍କୁ ଭାରତୀୟ ନୌସେନା ଏହାର ଇତିହାସ ସମ୍ପର୍କରେ ଧାରଣା ହେବ । ଏହା ସେମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ସେ କହିଛନ୍ତି । ୧୯୭୧ ପାକିସ୍ତାନର କରାଚୀ ବନ୍ଦରକୁ ଅଚଳ କରିବାରେ ଏହି ଯୁଦ୍ଧ ଜାହଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟମ୍ବର ୨ରେ ଦେଶର ପ୍ରଥମ ସ୍ବଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ ନୌସେନାରେ ସାମିଲ ହୋଇଥିଲା। ଦେଶର ନୌସେନା ଇତିହାସରେ ଏହା ସବୁଠାରୁ ବଡ଼ ଯୁଦ୍ଧପୋତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବାହକ ଯୁଦ୍ଧପୋତକୁ କେରଳର କୋଚିନ ସିପ୍ୟାର୍ଡ୍ ଲିମିଟେଡ୍ଠାରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ନୌସେନା ସେବାରେ ସମର୍ପିତ କରିଥିଲେ। ଏଥିସହ ଭାରତୀୟ ନୌସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ଏହି ବିମାନବାହୀ ଜାହାଜ ୨୦ ହଜାର କୋଟି ଟଙ୍କାରେ ନିର୍ମାଣ ହୋଇଛି। ଏହାର (ଫ୍ଲାଇଂ ଡେକ୍) ଲମ୍ବ ୨୬୨ ମିଟର ଏବଂ ଚଉଡ଼ା ୬୨.୪ ମିଟର। ସ୍ବଦେଶୀ ଉପକରଣ ବ୍ୟବହାର କରି ନିଜସ୍ବ ଜ୍ଞାନକୌଶଳରେ ଏହାର ନିର୍ମାଣ ହୋଇଛି। ଆଇଏନଏସ ବିକ୍ରାନ୍ତ ଓ ବିକ୍ରାନ୍ତ (ଆର୍୧୧) ନାମରେ ଏହି ଯୁଦ୍ଧ ଜାହାଜର ନାମ ଆଇଏନଏସ ବିକ୍ରାନ୍ତ ରଖାଯାଇଛି। ବିକ୍ରାନ୍ତ (ଆର୍୧୧) ବ୍ରିଟିସ ରୟାଲ ନେଭିରୁ ହାସଲ ହୋଇଥିବା ଦେଶର ପ୍ରଥମ ବିମାନବାହକ ଯୁଦ୍ଧ ଜାହାଜ ଥିଲା। ଦେଶର ପ୍ରଥମ ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ (ଆର୍୧୧) ବ୍ରିଟିସ ରୟାଲ ନେଭି ପାଇଁ ଏଚଏମଏସ ହର୍କୁଲେସ ନାମରେ ୧୯୪୩ରେ ନିର୍ମାଣ ହୋଇଥିଲା।
୧୯୪୫ରେ ବ୍ରିଟିସ ରୟାଲ ନେଭିରେ ଏହାକୁ ସାମିଲ କରାଯାଇଥିଲା। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହି ଜାହାଜ ଭାରତକୁ ସର୍ତ୍ତ ଆଧାରରେ ବିକ୍ରି ହୋଇଥିଲା। ୧୯୬୧ ନଭେମ୍ବର ୩ରେ ଏହି ଯୁଦ୍ଧପୋତ ଭାରତରେ ପହଞ୍ଚିଥିଲା ଏବଂ ଔପଚାରିକ ଭାବେ ବମ୍ବେ ହାରବୋର୍ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଉପସ୍ଥିତିରେ ଜାହାଜକୁ ନୌସେନାରେ ସାମିଲ କରାଯାଇଥିଲା। ଆଇଏନଏସ ବିକ୍ରାନ୍ତ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହି ଜାହାଜକୁ ୧୯୯୭ରେ ସେବା ନିବୃତ୍ତ କରାଯାଇଥିଲା ଏବଂ ମୁମ୍ବାଇ ହାରବୋର୍ରେ ଏହା ଏକ ମ୍ୟୁଜିୟମ ଭାବେ ରହିଥିଲା। ୨୦୧୩ରେ କେନ୍ଦ୍ର ସରକାର ଏହି ଜାହାଜ ଭାଙ୍ଗିବାପାଇଁ ନିଷ୍ପତ୍ତି ନେଇଥିଲେ। ଜାହାଜର ରକ୍ଷଣାବେକ୍ଷଣପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ସରକାର ଏହାକୁ ଭାଙ୍ଗିବାପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏହା ୬୦ କୋଟି ଟଙ୍କାରେ ଦାରୁଖାନା ସିପ୍ବ୍ରେକରକୁ ବିକ୍ରି ହୋଇଥିଲା। ଏହାପରେ ସରକାର ପୁଣିଥରେ ନୂଆକରି ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ଆଇଏନଏସ ବିକ୍ରାନ୍ତ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ।