ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଶ୍ରୀଜଗନ୍ନାଥ ଓଡ଼ିଶାର ଆତ୍ମା,ଓଡ଼ିଆଙ୍କ ପ୍ରାଣ ବିନ୍ଦୁ । ତାଙ୍କୁ ଓ ତାଙ୍କ ମହିମାକୁ ଭୂଲୁଣ୍ଠିତ କଲେ ଓଡ଼ିଆ ଆପେ ଆତ୍ମସମର୍ପଣ କରିବେ । ସେଇଥି ପାଇଁ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଉପରେ ଅନେକଥର ବାହ୍ୟ ଆକ୍ରମଣକାରୀଙ୍କ କୁ-ନଜର ପଡ଼ିଆସିଛି । ଆଫାଗାନୀଙ୍କଠାରୁ ମୋଗଲ ପର୍ଯ୍ୟନ୍ତ । ସବୁବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ଓଡ଼ିଆ ଜାତିର ଅସ୍ମିତାକୁ ଧ୍ୱଂସ କରିବାକୁ ଚାହିଁଛନ୍ତି ବାହ୍ୟ ଶତ୍ରୁ । ଯୁଦ୍ଧର ଘନଘଟା ଓ ପରାଜୟ ଭିତରେ ଓଡ଼ିଆ ଜାତି ନିଜ ପ୍ରିୟ ଭଗବାନଙ୍କୁ ବଡଦେଉଳରୁ ସ୍ଥାନାନ୍ତରିତ କରିଛି । ଅନେକ ବର୍ଷ ଧରି ନିଜ ଆରାଧ୍ୟଙ୍କୁ ଗୋପନବାସରେ ରଖିଛି । ଯେଉଁଥି ପାଇଁ ଶ୍ରୀକ୍ଷେତ୍ର ବାହାରେ ବି ଅନେକଥର ହୋଇଛି ଘୋଷଯାତ୍ରା ।
ଇତିହାସରେ ୫ ଥର ପୁରୀ ବାହାରେ ରଥଯାତ୍ରା ହୋଇଥିବାର ପ୍ରମାଣ ରହିଛି । ୧୬୧୧ ମସିହା .. ମୋଗଲ ସେନାପତି କଲ୍ୟାଣ ମଲ୍ଲର ପୁରୀ ଆକ୍ରମଣ ଆଶଙ୍କା ଘନୀଭୁତ ହେଉଥିଲା । ଅସୁରକ୍ଷିତ ହୋଇପଡିଥିଲେ ଓଡ଼ିଆ ମଉଡ଼ମଣୀ। ଫଳରେ ଶ୍ରୀଜଗନ୍ନାଥଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନିଆଯାଇଥିଲା । ଭାର୍ଗବୀ ନଦୀ ଦେଇ ଚିଲିକାର ଚକାନାସିଠାରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ବିଜେ କରାଯାଇଥିଲା । ସେହିଠାରେ ପ୍ରଭୁଙ୍କର ରଥଯାତ୍ରା ହୋଇଥିଲା । ଏହାପରେ ୧୬୧୭ ଖ୍ରୀଷ୍ଟାବ୍ଦରେ ମକରମ ଖାଁ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲା । ସେତେବେଳର ଭୋଇ ବଂଶର ରାଜା ଶ୍ରୀପୁରୁଷୋତ୍ତମ ଦେବ ଗଡମାଣିତ୍ରୀକୁ ପଳାୟନ କରିଥିଲେ । ଏହାର ସୁଯୋଗ ନେଇ ୧୬୨୨ରେ ସୁବେଦାର ଅହମ୍ମଦ ବେଗ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସଙ୍ଗେସଙ୍ଗେ ସେବାୟତମାନେ ଶ୍ରୀଜିଉଙ୍କୁ ଅନ୍ଧାରିଗଡକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରୁ ପୁଣି ଗଡମାଣିତ୍ରୀକୁ ଠାକୁରେ ସ୍ଥାନାନ୍ତରିତ ହେଲେ । ତେବେ ସମୟ କମ ଥିବାରୁ କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ରରେ ଆଛାଦିତ କରି ଗଡମାଣିତ୍ରୀ ନିଆଯାଇଥିଲା । ସେଠାରେ ଚତୁର୍ଦ୍ଧା ମୁର୍ତ୍ତି ତିଆରି ହୋଇଥିଲେ । ବ୍ରହ୍ମ ପ୍ରତିଷ୍ଠା କରାଯାଇଥିଲା । ୧୬୨୪ ମସିହାରେ ଗଡମାଣିତ୍ରୀରେ ହୋଇଥିଲା ରଥଯାତ୍ରା ।
ସେହିପରି ୧୬୯୨ରୁ ୧୭୦୭ ପର୍ୟ୍ୟନ୍ତ ଶ୍ରୀଜଗନ୍ନାଥ ବାଣପୁରର ବଡହନ୍ତୁଆଡ ଗ୍ରାମରେ ୧୫ ବର୍ଷ ରହିଥିଲେ । କାରଣ ଥିଲା ସମାନ । ମୁସଲିମ୍ ଆକ୍ରାନ୍ତା ଶ୍ରୀଜଗନ୍ନାଥଙ୍କ ଉପରେ ଆକ୍ରମଣ କରି ଓଡ଼ିଆଙ୍କୁ ପରାଜିତ କରିବାକୁ ଚାହୁଁଥିଲେ । ୧୫ ବର୍ଷ ଧରି ଶ୍ରୀଜଗନ୍ନାଥ ସେଠାରେ ରହିବା ଭିତରେ ଦୁଇ ଥର ନିରାଡମ୍ବର ଭାବେ ରଥଯାତ୍ରା ହୋଇଥିଲା । ଏହା ପରେ ୧୭୩୧ରୁ ୧୭୩୩ ମଧ୍ୟରେ ବଙ୍ଗର ଆଫଗାନୀ ସୁବେଦାର ତକି ଖାଁ ବାରମ୍ବାର ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ମହାପ୍ରଭୁଙ୍କୁ ଚିଲିକା ବାଟଦେଇ ନଇରୀକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ହରୀଶ୍ୱର ମଣ୍ଡପସ୍ଥିତ ପଥର ଚକଡାରେ ଭଗବାନ ଅବସ୍ଥାନ କରିଥିଲେ । ସେହି ସମୟରେ ୧୭୩୩ ମସିହାରେ ତିନୋଟି ଶଗଡି ରୂପକ ରଥରେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ବସାଇ କରାଯାଇଥିଲା ରଥଯାତ୍ରା । ଏହିଭଳି ଭାବରେ ଅତୀତରେ ବିଭିନ୍ନ ସମୟରେ ବାହ୍ୟ ଶତ୍ରୁଙ୍କ କବଳରୁ ମୁକୁଳିବା ମହାପ୍ରଭୁଙ୍କୁ ରକ୍ଷା କରି ପୁରୀ ବାହାରେ ହୋଇଥିଲା ରଥଯାତ୍ରା ।