ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ଜ୍ଞାନବ୍ୟାପୀ ଭିତରେ ତ୍ରିଶୂଳ ଅଛି, ଏହାକୁ ମସ୍ଜିଦ କହିବା ଐତିହାସିକ ଭୁଲ୍’ । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମାମଲାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜ୍ଞାନବ୍ୟାପୀକୁ ମସ୍ଜିଦ କହିବା ଐତିହାସିକ ଭୁଲ୍। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ମସ୍ଜିଦ ପରିସର କାନ୍ଥରେ ତ୍ରିଶୂଳର କ’ଣ ବ୍ୟବହାର ରହିଛି? ଏକ ସାକ୍ଷାତକାରରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହି ସମସ୍ୟାର ସମାଧାନ କରିବାକୁ ସରକାର ଦୀର୍ଘ ଦିନରୁ ଚାହୁଁଛନ୍ତି। ଜ୍ଞାନବ୍ୟାପୀ ମାମଲାର ସମାଧାନ ମୁସଲମାନ ପକ୍ଷରୁ ଆସିବା ଉଚିତ୍। ମୁସଲମାନ ପକ୍ଷ ସ୍ୱୀକାର କରିବା ଉଚିତ୍ ଯେ ଏହା ଏକ ଐତିହାସିକ ଭୁଲ୍ ଥିଲା।
ବିବାଦର ସମାଧାନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଆଦିତ୍ୟନାଥ କହିଛନ୍ତି କି, ଯଦି ଆମେ ଏହାକୁ ମସ୍ଜିଦ ବୋଲି କହୁ, ତେବେ ବିବାଦ ହେବ। ମୋତେ ଲାଗୁଛି, ଭଗବାନ ଆମକୁ ଦୃଷ୍ଟି ଦେଇଛନ୍ତି, ଏଥିପାଇଁ ଆମେ ଏହାକୁ ଦେଖିବା ଉଚିତ୍। ମସଜିଦ ଭିତରେ ତ୍ରିଶୂଳ କ’ଣ କରୁଛି? ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏହାକୁ ରଖି ନାହୁଁ। ମସଜିଦ ଭିତରେ ଜ୍ୟୋତିର୍ଲିଙ୍ଗ ଓ ଦେବଦେବୀଙ୍କ ମୂର୍ତ୍ତି ରହିଛି। ମୁଁ ଭାବୁଛି, ମୁସଲିମ ପକ୍ଷଙ୍କୁ ଏକ ପ୍ରସ୍ତାବ ଦେବା ଉଚିତ ଯେ ଏହା ଏକ ଐତିହାସିକ ଭୁଲ୍ ହୋଇଛି ଏବଂ ଏହାର ସମାଧାନ ହେବା ଉଚିତ।