ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନ କଂଗ୍ରେସରେ କୁହୁଳୁଛି ଦଳୀୟ ଅନ୍ତ କନ୍ଦଳ । ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାବେଳେ ତା’ ପୂର୍ବରୁ କଂଗ୍ରେସର ସମସ୍ୟା ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ସିଏମ ଅଶୋକ ଗେହଲଟ ଏବଂ ପୂର୍ବତନ ଡେପୁଟି ସିଏମ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ । ସୋମବାର ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତାମାନେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ସମସ୍ତ ବରିଷ୍ଠ ନେତାଙ୍କ ୱାନ୍ ଅନ ୱାନ୍ (ଜଣ ଜଣ କରି) ବୈଠକ ଡାକିଥିଲେ। କିନ୍ତୁ ସଚିନ ପାଇଲଟ୍ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ। ବୈଠକ ଡକାଯିବା ସମୟରେ ସଚିନ ପାଇଲଟ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ମଧ୍ୟରେ ଥିଲେ। ଜୟପୁରରେ ଡକାଯାଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଗୋବିନ୍ଦ ସିଂ ଡୋଟାସରା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ସଚିନ ପାଇଲଟ ରାଜସ୍ଥାନର ଟୋଙ୍କ ଆସନର ବିଧାୟକ ହୋଇଥିବାରୁ ତାଙ୍କୁ ବି ଏହି ବୈଠକ ପାଇଁ ଆଲୋଚନା କରାଯାଇଥିଲା । କିନ୍ତୁ ସେ ଜୟପୁର ଆସିନଥିଲେ । କିନ୍ତୁ ଏ ନେଇ କେତେକ କଂଗ୍ରେସ ନେତା କହିଛନ୍ତି ଯେ, ଏହି ବୈଠକରେ ସଚିନଙ୍କ ଅନୁପସ୍ଥିତିକୁ ଅନ୍ୟ କୌଣସି ଭାବରେ ଦେଖିବା ଉଚିତ ନୁହେଁ । କାରଣ ଜୟପୁରରେ ଡକାଯାଇଥିବା ବୈଠକ ପୂର୍ବରୁ ତାଙ୍କର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇସାରିଥିଲା ।
ସୂଚନାଯୋଗ୍ୟ, ନିକଟରେ ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କରିଥିଲେ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ। ୨୦୧୮ ନିର୍ବାଚନ ବେଳେ କଂଗ୍ରେସ ଯେଉଁ ସବୁ ଦୁର୍ନୀତି ଅଭିଯୋଗ ପୂର୍ବତନ ବିଜେପି ସରକାର ବିରୋଧରେ ଆଣିଥିଲା, ତା’ର ତଦନ୍ତ କରାଯାଉ ନଥିବାରୁ ସଚିନ ପାଇଲଟ ଦିନିକିଆ ଅନଶନ କରିଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ବିଜେପି କରିଥିବା ଦୁର୍ନୀତିର ତଦନ୍ତ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ନଥିବା ଅଭିଯୋଗ କରି ସଚିନ ପାଇଲଟ ଅନଶନ କରିଥିଲେ। ୧୧ ତାରିଖ ଅର୍ଥାତ ଆଜି ସେ ଅନଶନ କରିବେ ବୋଲି ପୂର୍ବରୁ ସମସ୍ତଙ୍କୁ ଜଣାଇ ସାରିଥିଲେ। ସେ ନିଜ ସରକାର ବିରୋଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଥିବାରୁ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଇଲଟଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଗତକାଲି ରାତିରେ କଂଗ୍ରେସ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା। ସେ ନିଜ ସରକାର ବିରୋଧରେ ଅନଶନ କରିବାକୁ ଯାଉଥିବାରୁ ଏହାକୁ ଦଳ ପକ୍ଷରୁ ଦଳ ବିରୋଧୀ କାମ ମଧ୍ୟ କୁହାଯାଇଥିଲା। ଏନେଇ ଏକ ଚିଠି ଜାରି କରି ପାଇଲଟଙ୍କୁ ଅନଶନରୁ ଦୂରେଇ ରହିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ତାଗିଦକୁ ଖାତିର ନ କରି ଆଜି ଦିନ ୧୧ଟାରୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି। ତେଣୁ ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ଆଶଙ୍କା ରହିଛି। ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ପାଇଲଟଙ୍କ ଏପରି ଆଭିମୁଖ୍ୟ କ୍ଷମତାସୀନ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।