ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଏହା ପରେ ବିରୋଧୀମାନେ ମିଳିତ ଭାବେ ସରକାର ବିରୋଧରେ ନାରାବାଜି କରିବା ସହ ଆଦାମୀ ମାମଲାର ଜେପିସି ଦାବି ଜାରି ରଖିଥିଲେ । ଏହା ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ନେତୃତ୍ୱରେ ସମସ୍ତ ବିରୋଧୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଥିଲେ । ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି ଏବଂ ବାମପନ୍ଥୀ ଦଳ ଭଳି ସମସ୍ତ ବିରୋଧୀ ମାନ କଂଗ୍ରେସ ନେତୃତ୍ୱରେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି । ତ୍ରିରଙ୍ଗା ଶୋଭାଯାତ୍ରା ପରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ସରକାରଙ୍କ ଜିଦ୍ଖୋର ଆଭିମୁଖ୍ୟ ଯୋଗୁଁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲି ପାରି ନଥିବା ନେଇ ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, ‘ମୋଦି ସରକାର ଗଣତନ୍ତ୍ର କଥା କହୁଛନ୍ତି, କିନ୍ତୁ ଆଲୋଚନା କରୁନାହାନ୍ତି’ ! ସଂସଦରେ ବିନା ଆଲୋଚନାରେ ୧୨ ମିନିଟରେ ୫୦ ଲକ୍ଷ କୋଟି ଟଙ୍କାର ବଜେଟ୍ ପାରିତ ହୋଇଗଲା ।
ଶାସକ ଦଳର ସାଂସଦମାନେ ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ବୋଲି ଖାଡଗେ କହିଛନ୍ତି । ସଂସଦର ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗକୁ ଅସ୍ୱୀକାର କରୁଥିବାବେଳେ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ କହିଛନ୍ତି ଯେ ସଂସଦ କାର୍ଯ୍ୟ କରିବାକୁ ସରକାର ନିଜେ ଅନୁମତି ଦେଇ ନାହାଁନ୍ତି । ସେମାନେ ଆଦାନୀ ସ୍କାମ ବିଷୟରେ ଆଲୋଚନା କରିବାକୁ କାହିଁକି ଚାହୁଁନାହାଁନ୍ତି ? ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ପାରମ୍ପାରିକ ଭାବରେ ସାଂସଦମାନଙ୍କୁ ‘ସନ୍ଧ୍ୟା ଚା’ ପାଇଁ ଆମନ୍ତ୍ରଣ କରନ୍ତି । କିନ୍ତୁ, ବିରୋଧୀ ଦଳ ମଧ୍ୟ ଏଥିରେ ସାମିଲ ହେବାକୁ ପ୍ରସ୍ତୁତ ନଥିଲେ । କଂଗ୍ରେସ ସମେତ ୧୩ ବିରୋଧୀ ଦଳ ଏହାକୁ ବିରୋଧ କରି ଆଦାନୀ ପ୍ରସଙ୍ଗରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । କଂଗ୍ରେସ ସମେତ ୧୩ ଟି ବିରୋଧୀ ଦଳ ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଆୟୋଜିତ ପାରମ୍ପାରିକ ସନ୍ଧ୍ୟା ଚା’କୁ ବଏକଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମସ୍ତ ବିରୋଧୀ ଦଳ ମଧ୍ୟରେ କଂଗ୍ରେଓସ, ଟିଏମସି, ଆମ୍ ଆଦମୀ ପାର୍ଟି, ଡିଏମକେ, ସମାଜବାଦୀ ପାର୍ଟି, ଜେଡିୟୁ, ଆରଜେଡି, ଭାରତ ରାଷ୍ଟ୍ର ସମିତି, ଏନସିପି, ଶିବସେନା (ଉଦ୍ଧବ ବାଲ ଠାକରେ), ଜେଏମଏମ, ସିପିଏମ, ସିପିଆଇ ଏବଂ ଜାମ୍ମୁ କାଶ୍ମୀର ଜାତୀୟ ସମ୍ମିଳନୀ ଆଦି ସାମିଲ ହୋଇଛି ।