ଏଥର ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀରେ ବାଜିବନି ଡିଜେ, ଗୋଟିଏ ସ୍ଥାନରେ ଫୁଟିବ ବାଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଥର ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀରେ ବାଜିବନି ଡିଜେ, ଗୋଟିଏ ସ୍ଥାନରେ ଫୁଟିବ ବାଣ । ଏନେଇ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେ ବାଜିବ ନାହିଁ। ସେହିପରି ରାତି ୧୦ଟା ମଧ୍ୟରେ ଗୋଟିଏ ସ୍ଥାନରେ ବାଣ ଫୁଟିବ। ତାହା ପୁଣି ଲାଇସେନ୍ସ ପ୍ରାପ୍ତ ବାଣୁଆ ଏହି ବାଣ ଫୁଟାଇ ପାରିବେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟଠାରେ ଏହି ବୈଠକ କରାଯାଇ ଯାତ୍ରାର ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନର ଘୋଷଣା ଅନୁଯାୟୀ ଆସନ୍ତା ମେ’ ୨୪ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଶୋଭାଯାତ୍ରା ରାତି ୧୧ଟା ସୁଦ୍ଧା ବାହାରିବ। ୧୧ଟା ୪୫ ମଧ୍ୟରେ କେଦାରଗୌରୀ ମନ୍ଦିରରେ ପହଞ୍ଚିବ। ସେହିପରି ତା’ ପରଦିନ ମେ’ ୨୫ ରାତି ୧୦ଟାସୁଦ୍ଧା କେଦାରଗୌରୀ ମନ୍ଦିରରୁ ଦେବଦମ୍ପତି ବାହାରିବେ। ଆସିବା ବେଳେ ବାଟରେ ୪ଟିସ୍ଥାନରେ ଭୋଗ ଖାଇବେ। ଯୌତୁକ ଇନ୍ଦ୍ରହାତୀ ଉପରେ ବସି ଇନ୍ଦ୍ରରାଜା ସେବାୟତ ପାଛୋଟି ଆଣିବେ। ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିରକୁ ଫୁଲରେ ସଜାଯିବ। ବିବାହ ବେଦୀ ଓ ପାଲିଙ୍କି ବିମାନ ସଜାଯିବ। ସେହିପରି ରାସ୍ତାରେ ଅଧିକ ଲାଇଟ୍‌ ଲଗାଯିବ।

କେଦାରଗୌରୀ ମନ୍ଦିର ଭିତରେ ବେଦୀ ମଣ୍ଡପ ଓ ମନ୍ଦିର ପରିସରରେ ଲାଇଟ୍‌ ଲଗାଯିବ। ବିଭିନ୍ନ ପାରମ୍ପରିକ ବାଦ୍ୟ ସହ ମଶାଲ, ଘଣ୍ଟ, କାହାଳୀ ବାଜି ଠାକୁର ଯାତ୍ରା କରିବେ। ପାଳିଆ ସେବାୟତ ଠାକୁରଙ୍କ ସଙ୍ଗେ ଯିବେ। ସେମାନେ କର୍ଡନ ଭିତରେ ରହିବେ। ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର ଓ ଠାକୁରଙ୍କ ଯିବାଆସିବା ରାସ୍ତାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ କରାଯିବ। ଏହି ବୈଠକରେ ଉପସ୍ଥିତ ଥିଲେ ଶ୍ରୀ ମହାପାତ୍ରଙ୍କ ସମେତ ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ, ଟ୍ରଷ୍ଟବୋର୍ଡର ବରିଷ୍ଠ ସଦସ୍ୟ ତଥା ବିଏମ୍‌ସିର ପୂର୍ବତନ ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗର ସମ୍ପାଦକ କମଳା ବଡୁ, ସମର୍ଥା ନିଯୋଗର ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା, ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର, ବିଶୋଇ, ଆପଟିଆ, ପୁରୋହିତ, ମନ୍ଦିର ଜ୍ୟୋତିଷ, ଭଣ୍ଡାର ମେକାପ, ଚର୍ଚ୍ଚେଇତ, ସୁପରଭାଇଜର, ନୀତିକରିଣୀ ପ୍ରମୁଖ।

Leave A Reply

Your email address will not be published.