ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟସଭା ନିର୍ବାଚନ ନିମନ୍ତେ କଂଗ୍ରେସର ପ୍ରାର୍ଥୀ ମନୋନୟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦଳର ବରିଷ୍ଠ ନେତା ମନୀଷ ତିୱାରୀ। ତିୱାରୀ କହିଛନ୍ତି ଯେ, ଦଳର ଅନେକ ପ୍ରମୁଖ ନେତା ରାଜ୍ୟସଭା ଟିକଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟସଭା ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା ତାହା ପୂରଣ ହୋଇପାରି ନାହିଁ। ରାଜ୍ୟସଭା ଏବେ ଏକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ତେଣୁ ବର୍ତ୍ତମାନ ସମୟରେ ଅନୁଧ୍ୟାନ କରାଯିବା ଦରକାର ଯେ ଦେଶ ପାଇଁ ରାଜ୍ୟସଭା ଆବଶ୍ୟକ କି ନାହିଁ।
ରାଜ୍ୟସଭା ନିର୍ବାଚନ ପାଇଁ ରବିବାର କଂଗ୍ରେସ ୭ଟି ରାଜ୍ୟରୁ ୧୦ଜଣ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କୁ ତାମିଲନାଡୁ, ଜୟରାମ ରମେଶଙ୍କୁ କର୍ଣ୍ଣାଟକ, ଅଜୟ ମାକେନଙ୍କୁ ହରିୟାଣା ଓ ମୁଖ୍ୟ ମୁଖପାତ୍ର ରଣଦୀପ ସୂେର୍ୟ୍ୟୱାଲାଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ମୁକୁଲ ୱାଜନିକ ଓ ପ୍ରମୋଦ ତିୱାରୀଙ୍କୁ ରାଜସ୍ଥାନ, ବିବେକ ଟାଙ୍କାଙ୍କୁ ମଧ୍ୟପ୍ରଦେଶ, ରାଜୀବ ଶୁକ୍ଳା ଓ ରଞ୍ଜିତ ରଞ୍ଜନଙ୍କୁ ଛତିଶଗଡ ଏବଂ ଇମ୍ରାନ ପ୍ରତାପଗ୍ରହୀଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି।