ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସାମାନ୍ୟ ହର୍ଣ୍ଣ ବଜାଇବା ନେଇଗଲା ଜୀବନ । ତାମିଲନାଡୁର ରାଜଧାନୀ ଚେନ୍ନାଇର ଅମ୍ବାଟୁର ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଅଟୋରିକ୍ସା ଡ୍ରାଇଭରଙ୍କୁ ହତ୍ୟା କରାଯାଇଛି । ତେବେ ଅଟୋରିକ୍ସା ଡ୍ରାଇଭରଙ୍କର କେବଳ ଏତିକି ମାତ୍ର ଭୁଲ ଥିଲା ଯେ ସେ ରାସ୍ତା ଖାଲି କରିବାକୁ ହର୍ଣ୍ଣ ବଜାଇଥିଲେ, ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ କିଛି ଯୁବକ ରାସ୍ତା ମଝିରେ ନିଜ ସାଥୀଙ୍କ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ଥିଲେ। ସେମାନେ ରାସ୍ତାକୁ ଅବରୋଧ କରି କେକ୍ କାଟୁଥିଲେ ।
ତେବେ ଏହି ସମୟରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ରାସ୍ତା ଖାଲି କରିବାକୁ କହିଥିଲେ। ଯେତେବେଳେ ଯୁବକମାନେ ଶୁଣିଲେ ନାହିଁ, ଅଟୋ ଡ୍ରାଇଭର ହର୍ଣ୍ଣ ବଜାଇଥିଲେ । ଆଉ ଏଥିରେ ଉତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ।
ଏହି ମାମଲାରେ ପୁଲିସ ଦୁଇ ନାବାଳକଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସର ସୂଚନା ମୁତାବକ ମୃତକଙ୍କ ନାମ କମେଶ ହୋଇଥିବାବେଳେ ସେ ଅମ୍ବାଟୁରର ଭେଙ୍କଟେଶ୍ୱର ନଗର ଅଂଚଳରେ ରହୁଥିଲେ । ଏହି ଘଟଣାରେ ମୃତ କମେଶଙ୍କ ସହ ତାଙ୍କ ଭାଇ ସତୀଶ ମଧ୍ୟ ଆହତ ହୋଇଥିଲେ। ପୁଲିସର ସୂଚନାନୁସାରେ, ଗୁରୁବାର ରାତି ପ୍ରାୟ ୧୧ଟା ୩୦ ସମୟରେ କମେଶ ତାଙ୍କ ଭାଇଙ୍କ ସହ ଅଟୋ ଯୋଗେ ନିଜ ଘରକୁ ଫେରୁଥିଲେ ।
ତେବେ ଅଧା ରାସ୍ତାରେ କିଛି ଯୁବକ ମିଶି ଜନ୍ମଦିନ ପାଳନ କରୁଥିଲେ । ଏହି ଯୁବକମାନେ ରାସ୍ତାକୁ ଅବରୋଧ କରି କେକ କାଟୁଥିଲେ । ତେବେ ରାସ୍ତାଟି ବହୁତ ସଂକୀର୍ଣ୍ଣ ଥିବାରୁ ସେ ଯୁବକମାନଙ୍କୁ ସାଇଡ ଦେବାକୁ କହିଥିଲେ । ଆଉ ଯୁବକମାନେ ନ ଶୁଣିବାରୁ ସେ ହର୍ଣ୍ଣ ବଜାଇଥିଲେ ।
ଏଥିରେ ଉତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ପୁଲିସର ସୂଚନାନୁସାରେ ଯେତେବେଳେ ସତୀଶ ତାଙ୍କ ଭାଇ କମେଶଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ, ଯୁବକମାନେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଅମ୍ବାଟୁର ପୁଲିସ ସମସ୍ତ ଯୁବକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିବା ସୂଚନା ମିଳିଛି।