ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ। ଦେବ ଦମ୍ପତ୍ତିଙ୍କ ବିବାହତ୍ସୋବ ପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର। ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ଥିବାବେଳେ ମଙ୍ଗଳବାର ଶୀତଳ ଷଷ୍ଠୀ ପର୍ବ ପାଳିତ ହେବ। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘଣ୍ଟ, ଘଣ୍ଟା , ଦୁଲଦୁଲି, ଆଦିବାସୀ ନୃତ୍ୟରେ ଦୁଲୁକିବ ସମ୍ବଲପୁର ସହର ।
ସହରର ସମସ୍ତ ଶିବାଳୟ ଗୁଡ଼ିକୁ ରଙ୍ଗୀନ ଆଲୋକମାଳରେ ସଜ୍ଜା ଯାଇଛି । ଦେବ ଦମ୍ପତିଙ୍କ ବିବାହ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ରହିଛି ମୂର୍ତ୍ତି ଓ ଚାନ୍ଦି ମେଢ଼ । ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ ହେବେ । ରାଜ୍ୟ ବାହାରୁ ମଧ୍ୟ ଆସିବେ ସାଂସ୍କୃତିକ ଦଳ । ବାଜାବାଣ ରୋଷଣୀ ସହ ଘଣ୍ଟ, ଘଣ୍ଟା, ଦୁଲଦୁଲି ଓ ଆଦିବାସୀ ନୃତ୍ୟର ତାଳେତାଳେ ଶୋଭାଯାତ୍ରା ନେଇ କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ ଦେବଦେବ ମହାଦେବ ।
ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରିତୀନିତୀରେ ଦେବ ବିବାହ ସମ୍ପନ୍ନ ହେବ । ହର-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ଲାଗି ବିଭିନ୍ନ ଦେବଦେବୀଙ୍କୁ ଗୁଆ ଦେଇ ହନୁମାନ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସବୁ ଶିବାଳୟ ଗୁଡ଼ିକୁ ରଙ୍ଗୀନ ଆଲୋକମାଳରେ ସଜ୍ଜା ଯାଇଛି। ଗତକାଲି ରାତିରେ ସମ୍ପନ୍ନ ହୋଇଥିଲା ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା |