ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ରଜପର୍ବ ସବୁ ଓଡ଼ିଆଙ୍କ ଆନ୍ତରିକ ଅନୁରାଗର ପର୍ବ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ଗାଁ ଗାଁରେ ରଜଗୀତ ଶୁଭୁଛି, ଘରେ ଜମୁଛି ପିଠା-ପଣା, ଆମ୍ବ-ପଣସର ଆସର । ଆବାଳ ବୃଦ୍ଧବନିତା ସମସ୍ତେ ନିଜକୁ ଏହଥିରେ ସାମିଲ କରେଇଛନ୍ତି । ଛୋଟପିଲାମାନେ ଦୋଳି ଖେଳିବା ସହ , କବାଡ଼ି, ଦାଣ୍ଡିଆ, ପୁଚି କେଳରେ ବ୍ୟସ୍ତ ଅଛନ୍ତି । ସେହି ପରି ଘରର ପୁରୁଷ ଲୋକମାନେ ତାସ୍ ଓ ପସା କେଳରେ ନିଜକୁ ମଗ୍ନ କରିଛନ୍ତି । ଏହା ସହ ଘରର ସ୍ତ୍ରୀ ଲୋକମାନେ ପିଠା-ପଣା ରୋଷେଇବାସରୁ ଫୁରସତ ପାଇଲେ ଲୁଡୁ ଖେଳରେ ମାତିଯାଉଛନ୍ତି ।

ରଜ ପର୍ବ କୃଷି, ସଂସ୍କୃତି ଓ ପ୍ରଜଜନର ପର୍ବ। ନିଜ ଭିତରେ ପ୍ରକୃତି ଓ ପ୍ରକୃତି ଭିତରେ ନିଜକୁ ଖୋଜି ପାଇବାର ପର୍ବ। ଜ୍ୟୋଷ୍ଠ ମାସର ଶେଷ ଦିନଠାରୁ ଆଷାଢ଼ ମାସର ଦ୍ବିତୀୟଦିନ ପର୍ୟ୍ୟନ୍ତ ସାଧାରଣ ତିନିଦିନ ଧରି ରଜପର୍ବ ପାଳନ କରାଯାଏ। ଆଷାଢ଼ ମାସରେ ପଡୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି ବୋଲି କୁହାଯାଏ। ଏହାର ପୂର୍ବଦିନ ‘ପହିଲି ରଜ, ପରଦିନକୁ ଭୂମି ଦହନ ଓ ରଜର ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ।