ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଯୋଗୁଁ ହେଉଥିବା କ୍ଷତି ଏବଂ ଏଥିରୁ ଦୂରେଇ ରହିବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱ ବ୍ୟାପି ଆୟୋଜିତ ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ। ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସରର କାରଣ ତାହା ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍ଷ୍ଟ୍ରୋକ୍ ଆଦିର କାରଣ ସାଜୁଛି। ତେବେ ବର୍ତ୍ତମାନ ଯୁବ ବର୍ଗଙ୍କୁ କବଳିତ କରିଛି ତମାଖୁ।
ଏଥିପାଇଁ ଚଳିବ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସର ଥିମ୍ ରହିଛି ‘ତମାଖୁ ମୁକ୍ତ ଶୈଶବ’। ତମାଖୁ ସେବନର କୁପ୍ରଭାବରେ କେବଳ କର୍କଟ ହେଉଛି ତାହା ନୁହଁ। ହୃଦ୍ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ପଛରେ ଏହା ମୁଖ୍ୟ କାରଣ। ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା। ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହାର ଲକ୍ଷ୍ୟ। ବର୍ତମାନ ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି । ତେଣୁ ୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁର ବ୍ୟବହାର ଉପରେ ନିୟମନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସର ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲା । ଏବଂ ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା ।
ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-୨ ଅନୁଯାୟୀ ଓଡ଼ିଶାରେ ୫୫.୯ ପ୍ରତିଶତ ପୁରୁଷ ଓ ୨୨.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୯.୭ ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବାବେଳେ ୩୪.୬ ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି। ସେଥିପାଇଁ ଶୈଶବ ସମୟ ଜଗିଦେଲେ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟାକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।