ଆସନ୍ତା କାଲି ହୀରାକୁଦର ୫ଟି ଗେଟ୍ ଦେଇ ଛଡାଯିବ ପ୍ରଥମ ବନ୍ୟାଜଳ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଜଳସ୍ତର ୬୧୩ ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାରକୁ ୧,୪୦,୫୭୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର ୨୭୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨୩ ତାରିଖ ଦିନ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିଥିବା ନେଇ ଆକଳନ କରାଯାଉଛି। ସୂଚନାଥାଉକି, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍। ଗତବର୍ଷ ୧୮ ଜୁଲାଇରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍‌ ରହିଥିଲା। ଅନ୍ୟପଟେ ହୀରାକୁଦ ଡ୍ୟାମର ଖୋଲିବ ୫ଟି ଗେଟ୍ । ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚରଣ ସାହୁ । ପ୍ରଥମ ପଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ କରିବ ହିରାକୁଦ୍ ଡ୍ୟାମ୍ । ପ୍ରତ୍ୟେକ ସେକେଣ୍ଡରରେ ୭୫ ହଜାର ରୁ ଅଧିକ କ୍ୟୁସେକ୍ ଜଳ ହେବ ନିଷ୍କାସିତ । ସେହିପରି ତଳମୁଣ୍ଡରେ ବନ୍ୟା ହେବାର ସମ୍ଭାବନା ନାହିଁ । ସ୍ଥତିକୁ ଦେଖି ଆଗାମୀ କେତୋଟି ଗେଟ୍ ଖୋଲାଯିବ ଜଣାପଡିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।

ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କୁହାଯାଇଛି । ଆଉ ଏନେଇ ହୀରାକୁଦ କର୍ତ୍ତୃପକ୍ଷ ବର୍ତ୍ତମାନ ମାଇକ ଯୋଗେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଉଛନ୍ତି । ପାଣି ଛଡାଯିବାବେଳେ କେହି ଯେମିତି ମହାନଦୀକୁ ନ ଯିବେ ସେନେଇ ସତର୍କ କରାଯାଉଛି ।

Leave A Reply

Your email address will not be published.