ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି ।
ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୃତକଙ୍କ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଓ ପ୍ରତି ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଦେବାକୁ ପିଏମ୍ଓ ପକ୍ଷରୁ ଘୋଷଣା କରାଯାଇଛି ।
ସେପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ବର୍ଗକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏ ଦେବାକୁ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି ଯେ, “ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଶୁଣି ମୁଁଦୁଖିତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମୋର ସମବେଦନା ଓ ଆହତଙ୍କ ଆଶୁଆରୋଗ୍ୟ ମୁଁ କାମନା କରୁଛି ।”