ପୁଣି କାଳବୈଶାଖୀ ପାଇଁ ଅଟକିଲା ଟ୍ରେନ୍‌: ଗଛ ପଡ଼ି ଅଟକିଲା ବିଶାଖାପାଟଣା-କୋରାପୁଟ ପାସେଞ୍ଜର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି କାଳବୈଶାଖୀ ପାଇଁ ଅଟକିଲା ଟ୍ରେନ୍‌। ଗଛ ପଡ଼ି ଅଟକିଲା ବିଶାଖାପାଟଣା-କୋରାପୁଟ ପାସେଞ୍ଜର । ରାୟଗଡ଼ା ଜିଲ୍ଲାରେ ଟ୍ରେନ୍‌ର ଇଂଜିନ ଉପରେ ବିଶାଳ ଗଛ ପଡ଼ିଛି। ଏହି କାରଣରୁ ବୁଧବାର ଅପରାହ୍‌ଣ ସମୟରେ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ୍‌ ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅନ୍ତର୍ଗତ ବିସିଙ୍ଗପୁର ରୋଡ୍ ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଛି। ଫଳରେ ଯାତ୍ରୀମାନେ ଅସୁବିଧାର ସାମ୍ନା କରିଛନ୍ତି। ଗଛର ଡାଳଗୁଡିକ ଇଂଜିନରେ ପସିଯାଇଥିଲା ଏବଂ ଅନ୍ୟ ଡବାଗୁଡିକ ମଧ୍ୟରେ ପସିଯାଇଥିଲା।ରେଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିଥିଲେ।ଟାୱାର ୱାଗନ ରାୟଗଡ଼ାରୁ ଘଟଣାସ୍ଥଳରେ ପହଂଚି ସହଯୋଗ କରିଥିବା ଜଣାପଡିଛି। ଟ୍ରେନ୍‌ ନମ୍ବର ୦୮୫୪୬ ବିଶାଖାପାଟନମ୍‌-କେରାପୁଟ ପାସେଞ୍ଜର ରାୟଗଡ଼ା ଠାରୁ ଦିନ ୨ଟା ୧୩ ମିନିଟରେ ଛାଡ଼ିଥିଲା। ଟ୍ରେନ୍‌ଟି ରାୟଗଡ଼ା-ସିଂଙ୍ଗାପୁର ରୋଡ ମଝିରେ ଥିବା ବିସିଙ୍ଗପୁର ରୋଡ୍ ଠାରେ ପହଞ୍ଚିବା ପରେ କାଳବୈଶାଖୀ ଆରମ୍ଭ ହୋଇଯାଇଥିଲା। ପବନ ବର୍ଷା କାରଣରୁ ଟ୍ରେନ୍‌ର ଇଞ୍ଜିନ ଉପରେ ଗଛପଡ଼ିଯାଇଥିଲା। ତେବେ ଏହି ଅଘଟଣ ଯୋଗୁଁ କୌଣସି ଧନଜୀବନକୁ କ୍ଷତି ପହଞ୍ଚି ନଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ଅପରାହ୍‌ଣ ସାଢ଼େ ୪ଟାରେ ଟ୍ରେନ୍‌ ନମ୍ବର ୨୨୮୯୬ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ଏବଂ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ ଷ୍ଟେସନ ମଝିରେ ଅଟକି ଯାଇଥିଲା। ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ଟି କାଳବୈଶାଖୀର ସଂସ୍ପର୍ଶରେ ଆସିଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ସାମ୍ନା କାଚ ଭାଙ୍ଗି ଯାଇଥିଲା। ଏଥି ସହିତ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଇଥିଲା। ଟ୍ରାକ୍‌ରେ ଏକ ଗଛ ପଡ଼ିଥିବାରୁ ଟ୍ରେନ୍‌ର ଯାତାୟତରେ ଅସୁବିଧା ଦେଖାଯାଇଥିଲା। ଦୁର୍ଘଟଣାର ସାମ୍ନା କରିବାର ପ୍ରାୟ ସାଢ଼େ ୪ ଘଣ୍ଟା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ହାୱଡା ଅଭିମୁଖେ ଯାଇଥିଲା।

Leave A Reply

Your email address will not be published.