ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣେର ପୋର୍ସ କାର୍ ଟ୍ରାଜେଡି ମାମଲାରେ ବଢିବାରେ ଲାଗିଛି ଗିରଫଦାରୀ । ପ୍ରଥମରୁ ବିବାଦ ଓ ସମାଲୋଚନା ଘେରରେ ରହିଆସିଛି ଏହି ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟା । ପୁଣେର ସେସନ୍ ହସ୍ପିଟାଲର ଫରେନସିକ୍ ବିଭାଗର ମୁଖ୍ୟ ଏବଂ ଡାକ୍ତରଖାନାର ଅନ୍ୟ ଜଣେ ଡାକ୍ତର ପ୍ରମାଣକୁ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏନେଇ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି।
ଏହି ଦୁର୍ଘଟଣାରେ ସମ୍ପୃକ୍ତ ନାବାଳକର ରକ୍ତ ନମୁନା ବଦଳରେ ମଦ୍ୟପାନ ନକରିଥିବା ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସହ ବଦଳାଇ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ଏହି ଗିରଫ କରାଯାଇଛି। ତେବେ ପୁଣେ ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଗିରଫ ଦୁଇ ଡାକ୍ତର ହେଉଛନ୍ତି, ଡା.ଅଜୟ ତିଓ୍ବାରୀ ଓ ଡା.ଶ୍ରୀହରି ହରନୁର । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଜେନେରାଲ ହସ୍ପିଟାଲର ଫୋରେନସିକ ଲ୍ୟାବର ଏହି ଡାକ୍ତରଙ୍କ ଜରିଆରେ ରକ୍ତ ନମୂନା ପରୀକ୍ଷା କରାଇଥିଲା ।
ହେଲେ ଉଭୟ ଡାକ୍ତର ଅଭିଯୁକ୍ତର ରକ୍ତ ନମୂନା ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତିର ରକ୍ତ ନମୂନା ସହ ବଦଳ କରି ରିପୋର୍ଟ ଦେଇଥିଲେ । ଫଳରେ ମଦ୍ୟପାନ କରିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତ ଡାକ୍ତରୀ ରିପୋର୍ଟରେ ନିଶାସକ୍ତ ବୋଲି ଧରା ପଡିନଥିଲା । ତେଣୁ ଏହି କାରଣରୁ କୋର୍ଟ ମଧ୍ୟ ତାଙ୍କ ପ୍ରତି ଅତିକୋହଳ ମନୋଭାବ ପ୍ରକାଶ କରିଥିଲେ । ଯାହା ସାରା ଦେଶରେ ଚର୍ଚ୍ଚା, ସମାଲୋଚନା ଓ ବିବାଦ ସୃଷ୍ଟି କରିଥିଲା ।
Comments are closed.